ଗୁଣପୁର,୨୭ା୪(ଡି.ଏନ୍‌.ଏ.): ଗଜପତି ଜିଲା ସୀମାନ୍ତ ଆନ୍ଧ୍ରରେ କରୋନା ରୋଗୀ ଚିହ୍ନଟ ହେବା ପରେ ରାୟଗଡ଼ା ଜିଲା ପୋଲିସ ଓ ପ୍ରଶାସନ ପାଇଁ ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଗୁଣପୁର ସୀମାକୁ ଲାଗି ରହିଥିବା ୪ଟି ରାଜ୍ୟର ସୀମାନ୍ତ ରାସ୍ତା ଏବଂ ୨ଟି ଜିଲା ଏପରି ୬ଟି ଅଞ୍ଚଳ ରାସ୍ତା ଉପରେ ଏବେ କଟକଣା କଡ଼ାକଡ଼ି କରାଯାଇଛି। ଜଗନ୍ନାଥପୁର, ଗୋଠଳପଦର, ସୁଲୁଡ଼ି, କାଟିକି, କତାଗୁଡ଼ା, ବାଡିଗାଁ ଭାୟା ଗାଦିଆଖଳା ଗୁଣପୁରର ୪ଟି ରାଜ୍ୟ ସୀମାନ୍ତରେ ପୋଲିସ ପକ୍ଷରୁ ଚେକ ପୋଷ୍ଟ କରାଯିବ ସହ ଯାତାୟତ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ସେହିପରି ରାୟଗଡ଼ା-ଗଜପତି ଜିଲା ସୀମାନ୍ତ କତାଗୁଡ଼ାଠାରେ ମଧ୍ୟ ପୋଲିସ ଚେକ ପୋଷ୍ଟ କରାଯାଇ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଗଜପତି-ରାୟଗଡ଼ା ସୀମାନ୍ତ ବାଡିଗାଁ ଭାୟା ଗୁଣପୁର ରାସ୍ତାକୁ ଖୋଳି ଦିଆଯାଇ ଅବରୋଧ କରାଯାଇଛି।