ରାସ୍ତା ଖରାପ ଯୋଗୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ପ୍ରସୂତି

ମାଲକାନଗିରି,୧୯।୭(ସ୍ବ.ପ୍ର.): ଦୁର୍ଗମ ଗ୍ରାମକୁ ନାହିଁ ରାସ୍ତା। ଫଳରେ ଖଟିଆରେ ବୁହା ହେଲେ ପ୍ରସୂତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତ ବେଙ୍ଗପାଣି ଗ୍ରାମରେ। ଉକ୍ତ ଗ୍ରାମର ମଙ୍ଗଳା ପାଙ୍ଗିଙ୍କ ସ୍ତ୍ରୀ ସୁରିଆଙ୍କୁ ଖଟିଆରେ ଏକ କିଲୋମିଟର ଜଙ୍ଗଲିଆ ରାସ୍ତାରେ ବୋହି ପ୍ରଥମେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା। ପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସୁରିଆଙ୍କ ପ୍ରସବ ବେଦନା ଆରମ୍ଭ ହେବା ପରେ ପରିବାରଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ମଧ୍ୟ ଆସିଥିଲା। ହେଲେ ବର୍ଷା ଯୋଗୁ ରାସ୍ତା ଖରାପ ଥିବାରୁ ମାଥିଲି ମେଡିକାଲରୁ ବାଡ଼ିନିଗୁଡ଼ା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚି ପାରିଥିଲା। ହେଲେ ବେଙ୍ଗପାଣିକୁ ଯାଇ ପାରି ନ ଥିଲା। ଫଳରେ ଅନ୍ୟୋପାୟ ନ ପାଇ ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାରଲୋକଙ୍କ ସହାୟତାରେ ପ୍ରସୂତିଙ୍କୁ ଘରଠାରୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ଆମ୍ବୁଲାନ୍ସରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ସୂଚନାଯୋଗ୍ୟ, ଜିଲାର ଅଧିକାଂଶ ଦୁର୍ଗମ ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ଫଳରେ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ବାଧ୍ୟହୋଇ ଭାର ଅଥବା ଖଟିଆରେ ବୋହି ଡାକ୍ତରଖାନାକୁ ନିଆଯାଉଛି। ଏଣୁ ଜିଲା ପ୍ରଶାସନ ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।