ରାସ୍ତା ଉପରେ ପାଣି, ଯୋଗାଯୋଗ ବିଚ୍ଛିନ୍ନ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ବ୍ଲକ ନେଡିପଦରଠାରୁ ଜାର୍ଗିପଦର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ)ରେ ହୋଇଥିବା ରାସ୍ତା ପାର୍ଶ୍ୱ ବର୍ଷାରେ ଧୋଇ ଯାଇଥିଲା। ଏବେ ଏହି ରାସ୍ତା ବୁଡିଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇଯାଇଛି। ନେଡିପଦରରୁ-ଜାର୍ଗିପଦର ପର୍ଯ୍ୟନ୍ତ ହୋଇଥିବା ୨ କିମି ରାସ୍ତା ମଧ୍ୟରେ ସିକବାଡି, ତେଲଙ୍ଗରଣା, କାନ୍ଦୁପଦର, ରୁଗୁଡିସାହି, ଜାର୍ଗିପଦର, ପାଣ୍ଡୁପଦର ଆଦି ଗ୍ରାମ ରହିଛି। ପାଖାପାଖି ୧୦୦୦ରୁ ଊର୍ଦ୍ଧ୍ୱ ଲୋକେ ଏବେ ବର୍ଷା ପ୍ରଭାବରେ ହଇରାଣ ହେଉଛନ୍ତି। ସେହିପରି ସଲାଗୁଡାଠାରୁ ନେଡିପଦର ରାସ୍ତାରେ ପୁଡେଣୀ ନାଳ ଉପରେ ଥିବା ପୋଲ ଭଶୁଡି ଯାଇଥିବାରୁ ସଲାଗୁଡା ପଞ୍ଚାୟତ ଲୋକେ ଗୋଚ୍ଛାପଡା, ଫିରିଙ୍ଗିଆ ଆସି ପାରୁନାହାନ୍ତି। ଡିଣ୍ଡିରାଗାଁ ପଞ୍ଚାୟତର ସିକୁଲିପଦର ଗ୍ରାମରେ ଥିବା ଶଙ୍ଖ ଉପରେ ପାଣି ଚାଲି ଥିବାରୁ ଯାତାୟାତ ବନ୍ଦ ହୋଇଯାଇଛି। ସେହିପରି ପବିଙ୍ଗଆ ପଞ୍ଚାୟତ ମଗମୁଣ୍ଡାରାସ୍ତା ଉପରେ ପାଣି ଚାଲିଛି। ରତଙ୍କ ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା। ଡାଙ୍ଗେଡିକିଆ ଶଙ୍ଖ ଉପରେ ୪ ଫୁଟରୁ ଅଧିକ ପାଣି ଚାଲିଛି। ଜଇଲାମ୍ବା, କୁଟିବାରୀ, ସେସ୍କାଯୋଡି ଏବଂ ଡାଙ୍ଗେଡିକିଆର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ବ୍ଲକର ଅନ୍ୟ ପଞ୍ଚାୟତରେ ମଧ୍ୟ ଏପରି ସମସ୍ୟା ଦେଖିବାକୁ ମିଳିଛି।