ରାସ୍ତାରେ ମୃତଦେହ ଛାଡି ଚାଲିଗଲେ ଅଟୋ ଚାଳକ

ନବରଙ୍ଗପୁର,୧୨ା୨(ବି.ପ୍ର.): କାମଳ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଦେଶୀ ଚିକିତ୍ସା ପାଇଁ ଅଟୋରେ ନେଉଥିବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା ା ଅଟୋ ଚାଳକ ମୃତଦେହ ନେଇ ପାରିବେ ନାହିଁ ବୋଲି କହିଥିଲେ। ଅଟୋ ଚାଳକ ମାନବିକତା ଭୁଲିଯାଇ ମୃତଦେହକୁ ରାସ୍ତାରେ ଛାଡି ଚାଲି ଯାଇଥିଲେ। ଏଭଳି ଏକ ଘଟଣା ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକରେ ଦେଖା ଦେଇଛି।
କୋଷାଗୁମୁଡା ବ୍ଲକ କୋଟାଗାଁ ପଞ୍ଚାୟତ ଅଧୀନ ତାରାଗାଁର ଉଷା ଭତରା(୨୧)ଙ୍କ ଶରୀର ଅସୁସ୍ଥ ଥିବାରୁ ବି.ଏମ. ସେମଳା ଗାଁରେ ଥିବା ବାପା ଘରେ ରହୁଥିଲେ । ସେ କାମଳ ରୋଗରେ ଆକ୍ରାନ୍ତ ଥିବା ଜାଣିବା ପରେ ପରିବାର ଲୋକ ବିଭିନ୍ନ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଘଟିବାରୁ ଛତିଶଗଡ ବସ୍ତର ଜିଲା ଅଧୀନ ଆଡବାଲଠାରେ ଦେଶୀ ଚିକିତ୍ସା ପାଇଁ ଏକ ଅଟୋରେ ନେଉଥିଲେ। ବଡ ଆମ୍ବଡା ଗାଁ ରାସ୍ତା ନିକଟରେ ଉଷାଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଅଟୋରେ ନେବେ ନାହିଁ ବୋଲି ଅଟୋ ଚାଳକ କହି ରାସ୍ତା କଡରେ ହିଁ ଓହ୍ଲାଇ ଦେଇଥିଲେ। ମୃତଦେହ ଘରକୁ କିପରି ନେବେ ସେଥିପାଇଁ ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇପଡିଥିଲେ। ପରେ ସ୍ଥାନୀୟ ବାସିନ୍ଦା କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯୋଗାଯୋଗ କରିବା ପରେ ମହାପ୍ରୟାଣ ଗାଡିକୁ ଡକାଇଥିଲେ। ମହାପ୍ରୟାଣ ଗାଡି ପହଞ୍ଚି ମୃତଦେହ ବି.ଏମ. ସେମଳାରେ ନେଇ ଛାଡିଥିଲା।