ରାସ୍ତାରେ କାର୍ଯ୍ୟାଳୟ ଚଳାଇଲେ ଅପରାଜିତା

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ)ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନ ପାଳନ ସମୟରେ ଗହଳି କରି କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟକୁ ବିଏମ୍‌ସି ପକ୍ଷରୁ ୧୫ ଦିନ ପର୍ଯ୍ୟନ୍ତ ସିଲ କରିଦିଆଯାଇଛି। ଏହାପରେ ସେ ଗଣମାଧ୍ୟମ ଆଗରେ ଶାସକ ଦଳ ନେତା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ରାସ୍ତାରେ ନିଜ କାର୍ଯ୍ୟାଳୟ ଚଳାଇବା ଆରମ୍ଭ କରିଛନ୍ତି। ଏହାସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଶାସକ ଦଳ ନେତାଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଆଶା କରିଛନ୍ତି। ରବିବାର ଅପରାଜିତା ଭୁବନେଶ୍ୱରର ମଧ୍ୟ ନିର୍ବାଚନମଣ୍ଡଳୀରେ ଜନଶୁଣାଣି କରିଛନ୍ତି। ନିଜ ଲୋକ ସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅଫିସ ସିଲ୍‌ ଯୋଗୁ ଆସନ୍ତା ୧୫ଦିନ ରାସ୍ତା ଉପରେ କାର୍ଯ୍ୟ କରିବି। ତାଙ୍କ ଭିତରେ କ୍ରୋଧ କିମ୍ବା କାହା ପ୍ରତି ନକାରାତ୍ମକ ଭାବନା ନାହିଁ। ବିକାଶ ପ୍ରକ୍ରିୟା ଜାରି ରହିଛି। ସେ ଆହୁରି କହିଛନ୍ତି, ତାଙ୍କ ସଭା ସମିତିରେ କିପରି ସାମାଜିକ ଦୂରତା ରହିବ ତାହା ପ୍ରଶାସନର କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କୁ ୮ଟି ପ୍ରଶ୍ନ ପଚାରି ଚିଠି ଲେଖିଛନ୍ତି। ୧୫ଦିନରେ ତଦନ୍ତ ଲାଗି ଚିଠିରେ ଦର୍ଶାଇଛନ୍ତି।