Categories: ନୟାଗଡ଼

ରାସ୍ତାରେ କାନ୍ଥ ଭୁଶୁଡିଲା, ଗମନାଗମନ ବାଧାପ୍ରାପ୍ତ

ଓଡ଼ଗାଁ,୧୭ା୮(ସ୍ବ.ପ୍ର.): ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ଧୋବା ସାହିରେ ଗୁରୁବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡିବାରୁ ଗୋଟିଏ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁସାରେ ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ରାସ୍ତା କଂକ୍ରିଟ ହେଉଥିବା ବେଳେ ଆଉ କେତେକ ରାସ୍ତାକୁ ଲାଗି ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି ା ଓଡ଼ଗାଁ ପାଟଣାସାହି ଛକଠାରୁ ଧୋବାସାହି ଦେଇ ଦରପଦାକୁ ଯାଇଥିବା ମୁଖ୍ୟ ରାସ୍ତା ଅନ୍ତର୍ଗତ ଧୋବାସାହିରେ ଡ୍ରେନ ନିର୍ମାଣ କରିବାକୁ ମନଇଚ୍ଛା ଜେସେବି ଦ୍ୱାରା ଖୋଳା ଯାଇଥିଲା। ଗୁରୁବାର ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷାରେ ଖୋଳାଯାଇଥିବା ଡ୍ରେନରେ ବର୍ଷାପାଣି ଆସିବାରୁ ଏଥିରେ ଡ୍ରେନ ସଂଲଗ୍ନ ଦୁଃଖି ସିଠ(୭୫) ନାମ୍ନୀ ବୃଦ୍ଧାଙ୍କ ଏକ ଟାଇଲ ଛପର ଘରର ମୂଳଦୁଆ ଧସିଯାଇଥିଲା ା ତାଙ୍କ ଘରର ମୁଖ୍ୟ କାନ୍ଥ ଭୁଶୁଡି ରାସ୍ତା ଉପରକୁ ଚାଲିଆସିଥିଲା ା ପରିବାର ଲୋକେ ଶୋଇଥିବା ବେଳେ ଘର ଭିତର ପରିବର୍ତ୍ତେ ବାହାର ପଟକୁ ଭୁଶୁଡିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ା ରାସ୍ତା ଉପରେ କାନ୍ଥର ଭଙ୍ଗାଅଂଶ ବିଛାଡି ହୋଇ ପଡିଥିବାରୁ ସେହି ରାସ୍ତା ଦେଇ ଗମନାଗମନ ବନ୍ଦ ରହିଛି ା ଏ ସମ୍ପର୍କରେ ପୂର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଘର ମାଲିକଙ୍କୁ ବୁଝାଶୁଝା କରିବା ସତ୍ତ୍ୱେ ସେ ରାସ୍ତାରୁ ଭଙ୍ଗା କାନ୍ଥ ଉଠାଇବାକୁ ଦେଇ ନ ଥିଲେ। ତହସିଲଦାର ଓ ପୋଲିସ ଫୋର୍ସଙ୍କ ସହାୟତାରେ ଏହାକୁ ତୁରନ୍ତ ସଫା କରିବାକୁ ଉଦ୍ୟମ କରାଯିବ। ଏହାସହିତ ଘରମାଲିକଙ୍କ ଭାଙ୍ଗି ଯାଇଥିବା କାନ୍ଥ ଓ ଘର ତିଆରି କରିବାକୁ ଆବଶ୍ୟକ ସହାୟତା ଦେବାକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଲୋଚନା କରାଯିବ ବୋଲି କହିଥିଲେ ା