ବାଜିବନି ଡିଜେ, ଫୁଟିବନି ବାଣ

ନୟାଗଡ଼ ଅଫିସ/ ରଣପୁର,୧୭।୩(ସ୍ବ.ପ୍ର.): ଶୁକ୍ରବାର ରାତିରେ ରଣପୁର ବ୍ଲକ ଚାନ୍ଦପୁରରେ ହେବ ଦଶଦୋଳ ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏତିକି ବେଳେ ଗୁରୁବାର ପୂର୍ବାହ୍ନରେ ଚାନ୍ଦପୁର ଥାନା ପୋଲିସ ଦଶଦୋଳ ମେଳଣ ଉପରେ କଟକଣା ଲଗାଇ ବାଜିବନି ଡିଜେ ଓ ଫୁଟିବନି ବାଣ ନୋଟିସ୍‌ ଜାରି କରିଛି। ଏ ସଂକ୍ରାନ୍ତରେ ଡାକବାଜି ଯନ୍ତ୍ରରେ ପ୍ରଚାର କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଡିଜେ ଉପରେ କଟକଣାକୁ ନେଇ ବୁଦ୍ଧିଜୀବୀଙ୍କ ସମେତ ଅନେକ ସ୍ବାଗତ କରିଛନ୍ତି। କାହିଁ କେଉଁ କାଳରୁ ଚାନ୍ଦପୁରରେ ଦଶଦୋଳ ମେଳଣ ପାରମ୍ପରିକ ରୀତିରେ ହୋଇ ଆସୁଥିବାବେଳେ ଆତସବାଜି ଓ ଡିଜେ ବାଜୁଥିଲା। ତେବେ ଧିରେ ଧିରେ ଚାନ୍ଦପୁର ମେଳଣରେ ୨୫ରୁ ୩୦ ଡିଜେ ବାଜିଲା। ମାତ୍ରାଧିକ ଡିଜେ ବାଜିବା ପରେ ସାଧାରଣରେ ଅସନ୍ତୋଷ ଓ ପ୍ରତିବାଦ ଉଠିଥିଲା। ଏପରି କି ଅଧିକାଂଶ ରୋଗୀ ଓ ବୃଦ୍ଧାବୃଦ୍ଧ ଏହାକୁ ନେଇ ପ୍ରତିବାଦ କରିଥିଲେ। ଆତସବାଜି ବନ୍ଦ ଉପରେ କଟକଣା ଲଗାଇବା ନେଇ ବିଚାର କରିବାକୁ ଦାବି ଉଠିଛି। ସେହିଭଳି ୨୫ରୁ ୩୦ ସ୍ଥାନରେ ଡିଜେ ମାତ୍ର ଗୋଟିଏ ବାଜିବାକୁ ଅନୁମତି ଦେବାକୁ କେତେଜଣ ଲୋକ ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷେ ଚାନ୍ଦପୁର ଥାନା ପୋଲିସ ନୋଟିସରେ ଉଲ୍ଲେଖ କରିଛି ଦଶମ ଶ୍ରେଣୀ ପରୀକ୍ଷା ଚାଲିଛି। ଏ ସମୟରେ ବାଣ ଫୁଟାଇବା ଓ ଡିଜେ ବଜାଇଲେ ଶବ୍ଦ ପ୍ରଦୂଷଣ ହେବା ସହ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବ। ସେହିପରି ଦଶଦୋଳ ମେଳଣ ପଡ଼ିଆଠାରୁ ମାତ୍ର ୧୦୦ ମିଟର ଦୂରରେ ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସ ରହିଥିବାରୁ ବାଣ ଫୁଟାଇବା ଓ ଡିଜେ ବଜାଇଲେ ରୋଗୀମାନଙ୍କ ଅଚାନକ ହୃଦ୍‌ଘାତ ହୋଇଯିବାର ଭୟ ରହିଛି। ପୁଣି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଅପରପକ୍ଷେ ଚାନ୍ଦପୁର ଦଶଦୋଳ ମେଳଣସ୍ଥଳ ଜନବସତିର ମଧ୍ୟଭାଗରେ ରହୁଥିବାରୁ ସାଧାରଣ ଲୋକ ପ୍ରତିବାଦ କରୁଛନ୍ତି। ପୁଣି ଉପଜିଲାପାଳଙ୍କ ମାଇକ ପରିମିଶନରେ ଡିଜେ ବଜାଇବାକୁ ବାରଣ କରାଯାଇଛି। ଏଣୁ ପୋଲିସ ସାଧାରଣ ଲୋକଙ୍କ ସହଯୋଗ ମାଗି ଦଶଦୋଳ ଯାତ୍ରା ଉପରେ କଟକଣା ଲଗାଇଛି।