ରାସ୍ତାକୁ ଗାଈ ଛାଡ଼ିଲେ ଧରିନେବ ସ୍କ୍ବାଡ୍‌

ଭୁବନେଶ୍ୱର, ୧।୨(ବ୍ୟୁରୋ): ଏଣିକି ରାସ୍ତାକୁ ଗାଈ ଛାଡ଼ିଲେ ମାଲିକ ଗଣିବେ ୫ହଜାର ଜରିମାନା। ନଚେତ୍‌ ପାଳିତ ଗାଈକୁ ହରାଇବାକୁ ପଡ଼ିବ। ଏଭଳି କଡା ନିଷ୍ପତ୍ତି ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ରାଜଧାନୀ ତଥା ଉପକଣ୍ଠ ଅଞ୍ଚଳ ରାସ୍ତାରେ ଦଳ ଦଳ ହୋଇ ରହୁଥିବା ଗୋରୁ ପଲ ଯୋଗୁ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ବଢ଼ୁଛି। ଏନେଇ ବିଏମ୍‌ସିର ଚିନ୍ତା ବଢ଼ିଛି। ଗୋ-ମଙ୍ଗଳ କାର୍ଯ୍ୟ ଖସଡ଼ାକୁ ଗୁରୁତ୍ୱ ଦିଆଯିବା ସହ ଦୁର୍ଘଟଣା ଜନିତ ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବିଏମ୍‌ସି ଅଞ୍ଚଳରେ ପ୍ରାୟ ୧୨ ହଜାର ଗୃହପାଳିତ ଗାଈ ଅଛନ୍ତି। ମାଲିକମାନେ ବିଭିନ୍ନ ସମୟରେ ସେମାନଙ୍କ ଗାଈକୁ ଖୋଲାରେ ଛାଡ଼ିଦେଇଥାନ୍ତି। ତେଣୁ ଏଥିଯୋଗୁ ସୃଷ୍ଟି ହେଉଥିବା ସମସ୍ୟାକୁ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ କେତେକ ନିଷ୍ପତ୍ତି ନିଆଯାଇଥିଲା। ମିଳିଥିବା ସୂଚନାନୁସାରେ, ଆସନ୍ତା ମାର୍ଚ୍ଚ ମାସଠାରୁ ଗୃହପାଳିତ ଗାଈଙ୍କୁ ରାସ୍ତା ଉପରେ ଦେଖିଲେ ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍‌ ଧରିନେବ। କାଞ୍ଜିଆହୁଦାରେ ୩ଦିନ ପାଇଁ ରଖାଯିବ। ଏହି ସମୟ ମଧ୍ୟରେ ମାଲିକମାନେ ଜରିମାନା ଦେଇ ସେମାନଙ୍କ ଗାଈକୁ ନେବେ। ଦ୍ୱିତୀୟଥର ଏପରି ବେଆଇନ କାର୍ଯ୍ୟ କଲେ ସମ୍ପୃକ୍ତ ମାଲିକଙ୍କୁ ଆଉ ଗାଈଟିକୁ ଫେରାଯିବ ନାହିଁ। ତାହାକୁ ବିଏମ୍‌ସି ନିକଟ ଜିଲାର ଗୋପାଳନ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ହସ୍ତାନ୍ତର କରିବ ବୋଲି ବିଏମ୍‌ସି ଡେପୁଟି କମିଶନର ତଥା ଗୋ-ମଙ୍ଗଳ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଶ୍ୟାମସୁନ୍ଦର ସେଠୀ କହିଛନ୍ତି।
ବୈଠକରେ ସବ୍‌ଡିଭିଜନାଲ ଭେଟେରିନାରି ଅଧିକାରୀ ଡକ୍ଟର ସୁଧୀର କୁମାର ସେନାପତି, ନୋଡାଲ ଅଫିସର ତ୍ରିଲୋଚନ ସାହୁ, ଗୋ-ମଙ୍ଗଳ ପରାମର୍ଶଦାତା ଡ. ମହେଶ ମିଶ୍ର ଏବଂ ଆଇନ ପରାମର୍ଶଦାତା ରାମକୃଷ୍ଣ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଗୋ-ମଙ୍ଗଳର କାର୍ଯ୍ୟ ଖସଡା ବାବଦରେ ଆଲୋଚନା କରିଥିଲେ। ତେବେ ଭବିଷ୍ୟତରେ ଷଣ୍ଢ ଓ ଗାଈମାନଙ୍କ ମଙ୍ଗଳ ନିମନ୍ତେ ବିଏମ୍‌ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଜନସଚେତନତା ଜାରି ରଖିବ ବୋଲି ଅଧିକାରୀମାନେ କହିଛନ୍ତି।