ରାସ୍ତାକଡ଼ରେ ଖୋଲିପାରିବନି ରଙ୍ଗ ଦୋକାନ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ହୋଲି ପର୍ବ ପାଳିତ ହେବ। ଏଥିପାଇଁ ବ୍ୟବସାୟୀମାନେ ଭୁବନେଶ୍ୱରର ଏଣେତେଣେ କି ରାସ୍ତାକଡ଼ରେ ରଙ୍ଗ ବେପାର କରିବେ। ତେଣୁ ଏଥିରେ ରୋକ ଲଗାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ବିଏମ୍‌ସିର ବିନା ଅନୁମତିରେ ବ୍ୟବସାୟୀମାନେ ରଙ୍ଗ ବ୍ୟବସାୟ କରିପାରିବେନି। ସହରରେ ଥିବା ଖୋଲାସ୍ଥାନ କିମ୍ବା ପଡ଼ିଆରେ ଗୋଟିଏ ସ୍ଥାନରେ ବ୍ୟବସାୟୀମାନେ ରଙ୍ଗ ବ୍ୟବସାୟ କରିବେ, ନଚେତ୍‌ ତଣ୍ଡ ଗଣିବେ। ଆବଶ୍ୟକ ପଡିଲେ ଦୋକାନ ଭଙ୍ଗା ହେବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ପ୍ରକାଶ କରିଛନ୍ତି।
ବିଏମ୍‌ସି ମୁଖ୍ୟାଳୟରେ ବୁଧବାର ହୋଇଥିବା ବୈଠକରେ ଏ ନେଇ କମିଶନର ଚୌଧାରୀ ୩ ଜୋନ୍‌ର ଜୋନାଲ ଡେପୁଟି କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ୩ଟି ଜୋନ୍‌ରେ ଯାଞ୍ଚ ଓ ଚଢାଉ କରିବାକୁ ଜୋନାଲ ଡେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ୩ଟି ଜୋନରେ ୩ଟି ସ୍କ୍ବାଡ୍‌ ଗଠନ କରାଯାଇଛି। ଗୁରୁବାରଠାରୁ ଏ ନେଇ ଚଢ଼ାଉ ଆରମ୍ଭ ହେବ ବୋଲି ସମୀକ୍ଷା ପରେ ପ୍ରକାଶ ପାଇଛି।
କମିଶନର ଚୌଧାରୀ କହିଛନ୍ତି, ସହରରେ ଏବେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେଉଥିବା ବେଳେ ରାସ୍ତାକଡ଼ରେ ରଙ୍ଗ ବ୍ୟବସାୟୀଙ୍କୁ ଦୋକାନ କରିବାକୁ ସ୍ଥାନ ଦେବା ସମସ୍ୟାକୁ ଆହୁରି ବଢ଼ାଇଦେବ। ତେଣୁ ବାଣ ବ୍ୟବସାୟ ପରି ରଙ୍ଗ ବ୍ୟବସାୟୀମାନେ ମଧ୍ୟ ଗୋଟିଏ ସ୍ଥାନରେ ତାଙ୍କ ଦୋକାନ ଦେବାକୁ କୁହାଯାଇଛି। ଏଥିସହ ଦୋକାନ ଲଗାଇବାକୁ ବିଏମ୍‌ସିର ଅନୁମତି ମଧ୍ୟ ଆବଶ୍ୟକ। ବିଏମ୍‌ସିକୁ ବିନା ଟ୍ରେଡ୍‌ ଲାଇସେନ୍ସ ଓ ଅନ୍ୟ ଦେୟ ପୈଠ ନ କରି ବ୍ୟବସାୟ କରିବା ଏକ ଅପରାଧ। ତେଣୁ ବ୍ୟବସାୟୀମାନେ ପ୍ରଥମେ ବିଏମ୍‌ସିଠାରୁ ଅନୁମତ ନେବା ପରେ ହିଁ ଦୋକାନ କରିବେ। ନଚେତ୍‌ ବିଏମ୍‌ସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଦୃଶ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ଏହାଛହା ଆବଶ୍ୟକ ପଡିଲେ ସେମାନଙ୍କ ଦୋକାନ ଭଙ୍ଗା ହେବ ଓ ବ୍ୟବସାୟ ପାଇଁ ଆସିଥିବା କଞ୍ଚାମାଲକୁ ଜବତ କରାଯିବ ବୋଲି କମିଶନର କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ବିଏମ୍‌ସି ସିଜିନ୍‌ ବେପାର ସମୟରେ ଏପରି ଆଭିମୁଖ୍ୟ ଆପଣାଇଛି। ହେଲେ ବ୍ୟବସାୟୀମାନେ ନିଜ ମନମୁଖି କାର୍ଯ୍ୟ କରିଛନ୍ତି। ରାସ୍ତାକଡ଼ରେ ଦୋକାନ କରିବା ସହ ଖୁଲମଖୁଲା ବେପାର କରୁଛନ୍ତି। ତେବେ ଚଳିତ ଥର କମିଶନରଙ୍କ ନିର୍ଦ୍ଦେଶ ପରେ ଜୋନାଲ ଡେପୁଟି କମିଶନରମାନେ କ’ଣ ଆଭିମୁଖ୍ୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।