Categories: ଜାତୀୟ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୪ ବର୍ଷରେ ପାଦ ଦେଲେ: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୧।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୭୪ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଭାଜପାର ଅନ୍ୟ ବରିଷ୍ଠ ସଦସ୍ୟ ରାମନାଥଙ୍କୁ ଜନ୍ମ ଦିନର ଶୁଭ କାମନା ଜଣାଇଛନ୍ତି। ୧୯୪୫ ଅକ୍ଟୋବର ୧ରେ ସେ ଉତ୍ତରପ୍ରଦେଶର ପରାଉଖଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମଇକୁଲାଲ୍‌ କୋବିନ୍ଦଙ୍କର ଏକ ଛୋଟ ଦୋକାନ ଥିଲା। ଝାଟିମାଟି ଘରେ ଜନ୍ମ ହୋଇଥିବା ରାମନାଥ ଗାଁଠାରୁ ୮ କିମି ଦୂରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କୁ ପାଠ ପଢ଼ିବା ପାଇଁ ଚାଲିଚାଲି ଯିବାକୁ ପଡୁଥିଲା। ସେତେବେଳେ ତାଙ୍କ ଗାଁରେ କାହା ପାଖରେ ସାଇକେଲ ମଧ୍ୟ ନ ଥିଲା। ୧୯୯୧ରେ ସେ ଭାଜପାରେ ଯୋଗଦେଇଥିଲେ। ୧୯୯୪ ଏପ୍ରିଲ୍‌ରେ ଉତ୍ତରପ୍ରଦେଶରୁ ରାଜ୍ୟସଭା ଏମ୍‌ପି ହୋଇଥିଲେ। ୨୦୧୫ ଅଗଷ୍ଟ ୮ରେ ସେ ବିହାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୭ ଜୁଲାଇ ୨୫ରେ ସେ ଦେଶର ୧୪ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Share