ରାଶନ ଦେବାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ କ୍ଷତିକୁ ହ୍ରାସ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହିତାଧିକାରୀଙ୍କ ନିକଟରେ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ପହଞ୍ଚାଯାଇଥିଲା। ଏପରି ଧାର୍ଯ୍ୟ ସମୟ ପୂର୍ବରୁ ଅଗ୍ରିମ ଭାବେ ଏକାଧିକ ମାସର ରାଶନ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଥିଲା। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ୱେବସାଇଟ୍‌ https://annavitran.nic.in/getPMGKAYCentralAllocDistriRPTରେ ବିଭିନ୍ନ ରାଜ୍ୟର ବଣ୍ଟନ ସାମଗ୍ରୀ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଏପ୍ରିଲ ଏବଂ ଆସନ୍ତା ମେ, ଜୁନ୍‌ ପାଇଁ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରିଥିବା ଦର୍ଶାଯାଇଛି। ଏପ୍ରିଲରେ ୧୧୫୫୨.୩୪୫ ମେଟ୍ରିକ ଟନ୍‌, ମେ’ରେ ୧୧,୬୯୧.୨୭ ମେଟ୍ରିକ ଟନ୍‌ ଏବଂ ଜୁନ୍‌ ସକାଶେ ୧୧୬୬୧.୮୭୪ ମେଟ୍ରିକ ଟନ୍‌ ଖାଦ୍ୟ ଶସ୍ୟ ପ୍ରଦାନ କରାଯାଇଛି। ଏହିପରି ଭାବେ ୩ ମାସ ପାଇଁ ମୋଟ ୩୪,୯୦୫.୪୮୯ ମେଟ୍ରିକ ଟନ୍‌ ଖାଦ୍ୟ ଶସ୍ୟ ବଣ୍ଟାଯାଇଛି। ଓଡ଼ିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟୁଇଟ୍‌ କରି ରବିବାର ଏହି ସୂଚନା ଦେଇଛନ୍ତି।