ରାଶନ କାର୍ଡରୁ ବଞ୍ଚିତ୍ତ ଗରିବଙ୍କୁ ଚାଉଳ, ଡାଲି ମିଳୁ

ଭୁବନେଶ୍ୱର, ୧୬ା୪(ବ୍ୟୁରୋ): ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ସବୁ ଗରିବ ପରିବାର ସାମିଲ ହୋଇପାରି ନାହାନ୍ତି। ସେହି ପରିବାର ସଦସ୍ୟଙ୍କୁ ମାଗଣାରେ ଚାଉଳ ଏବଂ ଡାଲି ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ପ୍ରଦୀପ୍ତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଲକ୍‌ଡାଉନ ସମୟରେ ଅସହାୟଙ୍କୁ ଖାଦ୍ୟ ସୁରକ୍ଷା ସହିତ ଆର୍ଥିକ ସହାୟତା ଯୋଗାଇ ଦେଉଛି। ମାତ୍ର ରାଜ୍ୟର କେତେଜଣ ଗରିବ ଅଛନ୍ତି ଯେଉଁମାନେ ଖାଦ୍ୟ ସୁରକ୍ଷା ବାହାରେ ଅନେକ ସମସ୍ୟା ଭୋଗୁଛନ୍ତି। ତେଣୁ ଏହି ସମୟରେ ରାଜ୍ୟରେ ରାଶନ କାର୍ଡ ପାଇ ନ ଥିବା ଗରିବ ପରିବାରକୁ ମାଗଣାରେ ଚାଉଳ ଏବଂ ଡାଲି ଯୋଗାଇଦେବା ପାଇଁ ବିରୋଧୀ ଦଳ ନେତା ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‌ଡିଆର୍‌ଏଫ୍‌), ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ଆଦି କରୋନା ମୁକାବିଲା କ୍ଷେତ୍ରରେ ବ୍ୟବହାର କରିବାକୁ ନିୟମ କୋହଳ କରିଛନ୍ତି। ଏହାର ବ୍ୟବହାର ଦ୍ୱାରା ରାଶନ କାର୍ଡ ପାଇପାରି ନ ଥିବା ଗରିବ ପରିବାରକୁ ଚାଉଳ, ଡାଲି ଯୋଗାଇଦେବାର ବ୍ୟବସ୍ଥା କରାଯାଉ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗରିବଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଗଲେ ସେମାନେ ବିଶେଷ ଲାଭବାନ୍‌ ହେବେ। ଏହିସବୁ ତାଲିକା ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ରଖିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।