ରାମଲୀଳା ଯାତ୍ରା : ସୀତାରାମଙ୍କ ବିବାହ ସୃଷ୍ଟି କଲା ଭକ୍ତିମୟ ପରିବେଶ

ବୋଲଗଡ଼,୨୦ା୫(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମରେ ଆୟୋଜିତ ହେଉଛି ରାମଲୀଳା ଯାତ୍ରା ଉତ୍ସବ। ଏହା ୯ଦିନ ଧରି ଏଠାରେ ଚାଲିଛି। ପ୍ରତିବର୍ଷ ଗ୍ରାମବାସୀମାନଙ୍କ ପକ୍ଷରୁ ରାମଲୀଳା ଯାତ୍ରା ଏହି ଗ୍ରାମରେ ଅନୁଷ୍ଠିତ ହେଉଛି । ଏହି ଯାତ୍ରା ପ୍ରାୟ ଏକମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଛି । କବି ଅନଙ୍ଗ ନରେନ୍ଦ୍ରଙ୍କ ରଚିତ ରାମଲୀଳା ପୋଥିକୁ ଏଠାରେ ଗାନ କରାଯିବା ସହିତ ବର୍ଣ୍ଣିତ ବିଷୟବସ୍ତୁଗୁଡିକୁ ନାଟକ ରୁପେ ପରିବେଷଣ କରାଯାଉଛି। ରାମଲୀଳା ସ୍ଥଳୀକୁ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକ ଦ୍ୱାରା ସୁସଜ୍ଜିତ କରାଯାଇଛି। ଗ୍ରାମର କୁନି କୁନି ପିଲାମାନଙ୍କଠାରୁ ଆରମ୍ଭ କରି ବୟସ୍କ କଳାକାରମାନେ ଏହି ଯାତ୍ରାରେ ଅଭିନୟ କରୁଛନ୍ତି । ସୀତାରାମଙ୍କ ବିବାହ ଉତ୍ସବ ଦୃଶ୍ୟ ପରିବେଷଣ ସମୟରେ ଏଠାରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ରାମଲୀଳା ଦେଖିବା ପାଇଁ ପ୍ରତିସନ୍ଧ୍ୟାରେ ବହୁସଂଖ୍ୟାରେ ଦର୍ଶକମାନଙ୍କର ସମାଗମ ହେଉଛି। ଉଲ୍ଲେଖଯୋଗ୍ୟ, ସୀତାବିବାହ କାର୍ଯ୍ୟକ୍ରମକୁ ମହାଆଡମ୍ବରରେ ପାଳନ କରାଯାଇଛି । ସୀତାରାମଙ୍କ ବିବାହ ପରେ ଏକ ବିରାଟ ପଟୁଆରରେ ପ୍ରଭୁ ଶ୍ରୀରାମ, ମା ସୀତା ଏବଂ ଲକ୍ଷ୍ମଣଙ୍କ ସମେତ ଭରତ, ଶତୃଘ୍ନ ଏକ ରଥରେ ଆଯୋଧ୍ୟା ପ୍ରତ୍ୟାବର୍ତ୍ତନର ଦୃଶ୍ୟ ବେଶ୍‌ ଭକ୍ତିପୂର୍ଣ୍ଣ ମନେ ହେଉଥିଲା। ପର୍ଶୁରାମ ଭେଟ ଏବଂ ପର୍ଶୁରାମଙ୍କ ଦର୍ପଚୁର୍ଣ୍ଣ ଅଭିନୟ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଯୋଗ ଦେଇଥିଲେ।