Categories: ବାଣିଜ୍ୟ

ରାନବାକ୍ସିର ପୂର୍ବତନ ପ୍ରମୋଟରଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାନବାକ୍ସିର ପୂର୍ବତନ ପ୍ରମୋଟର ଭ୍ରାତା ମାଲବିନ୍ଦର ମୋହନ ସିଂହ(୪୫) ଏବଂ ଶିବିନ୍ଦର ମୋହନ ସିଂହ(୪୩)ଙ୍କ ଘରେ ଗୁରୁବାର ଚଢ଼ାଉ କରିଛି। ମନିଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଥିଲା ବୋଲି ମିଡିଆ ରିପୋର୍ଟରୁ ପ୍ରକାଶ। ଦୁଇ ଭାଇଙ୍କ ବିରୋଧରେ ରେଲିଗେୟାର ଏଣ୍ଟରପ୍ରାଇଜେସ୍‌ ଏବଂ ଫର୍ଟିସ ହେଲ୍‌ଥକେୟାରରେ ଆର୍ଥିକ ଅନୀୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି, ରେଲିଗେୟାର ଫିନଓ୍ବେଷ୍ଟ ଲିମିଟେଡ ପକ୍ଷରୁ ଗତବର୍ଷ ଡିସେମ୍ବରରେ ଦୁଇ ଭାଇ ମାଲବିନ୍ଦର ଓ ଶିବିନ୍ଦରଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଥିଲା। ଚଳିତବର୍ଷ ମେ’ରେ ସେମାନଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା। ସେମାନଙ୍କ ବିରୋଧରେ ୭୪୦ କୋଟି ଟଙ୍କାର ଜାଲିଆତି ଅଭିଯୋଗ ହୋଇଛି। ଏହାକୁ ଆଧାର କରି ଇଡି ପକ୍ଷରୁ ସେମାନଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଦାଏର କରାଯାଇଥିଲା। ଅନ୍ୟପକ୍ଷରେ ରାନବାକ୍ସିର ଦୁଇ ଭାଇ ମାଲବିନ୍ଦର ଓ ଶିବିନ୍ଦରଙ୍କ ସହ ଜାପାନର ଔଷଧ ନିର୍ମାତା ଡାଏଚି ସାଙ୍କ୍ୟୋର ବିବାଦ ଲାଗି ରହିଛି। ୪୦୦୦ କୋଟି ଟଙ୍କାର ବିବାଦ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ। ଏଥିରେ ଅବହେଳା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

Share