ରାଧେଶ୍ୟାମ, ଗୋବିନ୍ଦଙ୍କ ବିରୋଧରେ ହେଲା ଚାର୍ଜଫ୍ରେମ୍‌

ବଲାଙ୍ଗୀର ଅଫିସ, ୨୬ା୮:ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କ ବିରୋଧରେ ଗୁରୁବାର ଚାର୍ଜଫ୍ରେମ୍‌ ହୋଇଛି। ଦୁଇ ଅଭିଯୁକ୍ତଙ୍କ ବିରେଧରେ ଆଇପିସି ଧାରା ୩୬୩, ୩୦୨, ୧୨୦ (ବି) ଓ ୩୪ରେ ଚାର୍ଜଫ୍ରେମ ହୋଇଛି। କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‌ଙ୍କ କୋର୍ଟରେ ଗୋବିନ୍ଦ ଓ ରାଧେଶ୍ୟାମଙ୍କୁ ହାଜର କରାଯାଇଥିଲା। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ଚାର୍ଜଫ୍ରେମ ନ କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇ ଡିସ୍‌ଚାର୍ଜ ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ସ୍ପେଶାଲ ପିପି ଚାର୍ଜଫ୍ରେମ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ଚାର୍ଜଫ୍ରେମ୍‌ ପରେ ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରୁ ନିଖୋଜ ହୋଇଯାଇଥିଲେ। ଘଟଣା ସଂକ୍ରାନ୍ତରେ ତାଙ୍କ ପରିବାରବର୍ଗ ପ୍ରଥମେ କଳାହାଣ୍ଡି ଜିଲା କେଗଁା ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଥାନାଧିକାରୀ ଅଭିଯୋଗ ପତ୍ର ନ ରଖି ମମିତାଙ୍କ ପରିବାର ଲୋକଙ୍କୁ ଫେରାଇ ଦେଇଥିଲେ। ଏହାପରେ ପରିବାର ଲୋକେ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଉଠାଇ ଆଣିଥିଲା। ଅକ୍ଟୋବର ୮ ତାରିଖରେ ମମିତା ମେହେରଙ୍କୁ ଗୋବିନ୍ଦ ନିଜ କାରରେ ଚାନ୍ଦୋତରା ଛକରୁ ଅପହରଣ କରିନେଇ ତଣ୍ଟିଚିପି ହତ୍ୟା କରିବା ଏବଂ ମହାଲିଙ୍ଗସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରେ ଗାତ ଖୋଳି ପୋତି ଦେଇଥିବା ଜଣାପଡିଥିଲା। ଅଭିଯୁକ୍ତ ଗୋବିନ୍ଦଙ୍କୁ ଟିଟିଲାଗଡ଼ ପୋଲିସ ବାରାକ୍‌ରେ ଅଟକ ରଖିଥିବାବେଳେ ସେ ସେଠାରୁ ଫେରାର ହୋଇଯାଇଥିଲେ। ପରେ ୧୯ ତାରିଖରେ ପୋଲିସ ଗୋବିନ୍ଦଙ୍କୁ ଗିରଫ କରିଥିଲେ। ହତ୍ୟାକାଣ୍ଡରେ ଗୋବିନ୍ଦଙ୍କ ସହଯୋଗୀ ରାଧେଶ୍ୟାମଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା।