ଭୁବନେଶ୍ୱରରେ ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବା ମନା

ଭୁବନେଶ୍ୱର,୪ା୫ (ବ୍ୟୁରୋ):ରାଜଧାନୀକୁ ରେଡ୍‌ଜୋନରେ ଘୋଷିତ କରାଯିବା ପରେ ପ୍ରଶାସନ ପକ୍ଷରୁ କିଛିଟା କଟକଣା କରାଯାଉଛି। ଦିନରେ ପରିବା ବେପାରୀଙ୍କଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଅନେକ ଲୋକଙ୍କୁ ଛଡାଯାଉଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ରାଜଧାନୀ ରାସ୍ତା ଦିନରେ ଗହଳି ଚହଳି ଦେଖିବାକୁ ମିଳିଛି। ଏହାକୁ ଦୁଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ କିଛିଟା କଟକଣା କରାଯାଇଛି। ସୋମବାର ଠାରୁ ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବାକୁ ପୋଲିସ ପକ୍ଷରୁ ମନା କରାଯାଇଛି। ଏପରକି ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କଡାକଡି କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ସିପି କହିଛନ୍ତି, ସମସ୍ତ ଜୋନ୍‌ରେ ଏହା କାର୍ଯ୍ୟକାରୀ ହେବ। ହେଲେ ଜରୁରିକାଳୀନ ସେବା ଯୋଗାଉଥିବା କର୍ମଚାରୀ ଏବଂ ଜରୁରୀ ସାମଗ୍ରୀ ପାଇଁ ପ୍ରତିବନ୍ଧକରୁ ମୁକ୍ତ ବୋଲି ସିପି ଟ୍ବିଟ୍‌ରେ ସୂଚନା ଦେଇଛନ୍ତି।
ଅନ୍ୟପଟେ ଦେଖିବାକୁ ଗଲେ, ଦେଢ ମାସ ପରେ ସୋମବାର ରାଜଧାନୀର ମୁଖ୍ୟ ଟ୍ରାଫିକ ପୋଷ୍ଟ କାର୍ଯ୍ୟକାରୀ ହେଲା। ରାଜଧାନୀର ଏଜି ଛକ, ରାଜମହଲ ,କଳ୍ପନା,ନାଲକୋ,ରୁପାଲୀ ଆଦି ଅନେକ ବଡ଼ ବଡ଼ ଛକର ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ପୋଲିସ ମୁତୟନ ହେଲେ। ଏହାସହ ଏହି ସବୁ ଛକରେ ବନ୍ଦ ଥିବା ଟ୍ରାଫିକ ସିଗ୍‌ନାଲ କାର୍ଯ୍ୟକ୍ଷମ ହେଲା। ଦିନରେ ଲୋକଙ୍କ ଗହଳି ହେଉଥିବାରୁ ଟ୍ରାଫିକ ପୋଷ୍ଟରେ ପୋଲିସ ମୁତୟନ କରାଗଲା।