ରାତି ୭ଟା ୪୫ରେ ଶ୍ରୀମନ୍ଦିର ବନ୍ଦ

ପୁରୀ ଅଫିସ,୧୯।୩: କରୋନା କଟକଣାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେଉଛି। ବେଳାଭୂମିର ଉଠା ବ୍ୟବସାୟୀ ହୁଅନ୍ତୁ ଅବା ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଥିବା ସହରର ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ସମସ୍ତେ ଏକପ୍ରକାର ହାତ ବାନ୍ଧି ବସିଛନ୍ତି। ତେବେ କରୋନା କଟକଣାର ସବୁଠୁ ଅଧିକ ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ିଛି। ଅଳ୍ପ ସଂଖ୍ୟାରେ ଭକ୍ତ ଆସୁଥିବାରୁ ନୀତିକାନ୍ତି ତ୍ୱରାନ୍ବିତ ହୋଇଥିଲା। ଫଳରେ ବୁଧବାର ସଅଳ ହୋଇଛି ରାତ୍ର ପହୁଡ଼। ରାତି ୭ଟା ୪୫ରେ ବନ୍ଦ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାର। କେବଳ ପହୁଡ଼ ନୁହେଁ, ହୁଣ୍ଡିରେ ବି ପଡ଼ିଥିଲା କରୋନା କଟକଣା ମାଡ଼। ହୁଣ୍ଡିରୁ ମାତ୍ର ୩୧ ହଜାର ୯୮ ଟଙ୍କା ଏବଂ ୧ ଗ୍ରାମ୍‌ ରୁପା ବାହାରିଛି। ହୁଣ୍ଡିରୁ ଏତେ କମ୍‌ ଟଙ୍କା ଗତ ୮/୧୦ ବର୍ଷ ମଧ୍ୟରେ ବାହାରି ନ ଥିବା ଏବଂ ରାତି ୮ଟା ପୂର୍ବରୁ କେବେ ପହୁଡ଼ ହେବାର ନଜିର ନ ଥିବା ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।
ସୋମବାରଠାରୁ ଜିଲାରେ କରୋନା କଟକଣା କଡ଼ାକଡ଼ି କରାଯାଇଛି। ଜିଲାର ପ୍ରବେଶ ପଥରେ ପର୍ଯ୍ୟଟକ ଗାଡ଼ି ଯାଞ୍ଚ କରାଯାଉଛି। ଅତ୍ୟାବଶ୍ୟକ ନ ଥିଲେ ଜିଲା ବାହାର ଲୋକଙ୍କୁ ପୁରୀକୁ ପ୍ରବେଶ କରାଯାଉ ନାହିଁ। ପର୍ଯ୍ୟଟକଙ୍କୁ ଫେରାଇ ଦିଆଯାଉଥିବାରୁ ଏହାର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ୁଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟା କମୁଥିବାରୁ ଗତ ଦୁଇଦିନଠାରୁ ବୁଧବାର ହୁଣ୍ଡି ଅର୍ଥ ପୂରା କମିଯାଇଥିଲା। କଟକଣାର ପ୍ରଥମ ଦିନ ଅର୍ଥାତ୍‌ ସୋମବାର ଶ୍ରୀମନ୍ଦିର ହୁଣ୍ଡିରୁ ୯୮,୮୭୨ ଟଙ୍କା ଓ ମଙ୍ଗଳବାର ୭୨,୫୩୭ ଟଙ୍କା ବାହାରିଥିଲା। ତେବେ ଭକ୍ତ ନ ଥିବାରୁ ନୀତିକାନ୍ତି ସଅଳ ସରିଥିଲା। ଫଳରେ ରାତି ୭ଟା ୪୫ରେ ଶ୍ରୀମନ୍ଦିରରେ ପହୁଡ଼ ହୋଇଥିଲା। ଶୀଘ୍ର ରାତ୍ର ପହୁଡ଼ର ଏହା ରେକର୍ଡ କୁହାଯାଇପାରେ ବୋଲି କହିଛନ୍ତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ। କରୋନା ପାଇଁ ଏମିତି ବିଭିନ୍ନ କ୍ଷେତ୍ରରେ ବ୍ୟତିକ୍ରମ ଘଟୁଥିବା ବେଳେ ଆଗାମୀ ଦିନରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସଂଖ୍ୟା ଆହୁରି କମିପାରେ ବୋଲି ଆଶଙ୍କା କରାଯାଉଛି।