ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା, ସଚିବାଳୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ମହାସଂଘର ଅନୁରୋଧ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ସଚେତନାମୂଳକ ପଦକ୍ଷେପ ନେଉଛନ୍ତି। ଲୋକଙ୍କୁ ସଚେତନତା ସାଙ୍ଗକୁ ପ୍ରତିରୋଧ କରିବା ପାଇଁ ନେଇଥିବା ପଦକ୍ଷେପକୁ ସଚିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ପ୍ରଶଂସା କରାଯାଇଛି। ଏଥି ସହ ସଚିବାଳୟ କର୍ମଚାରୀ ଏବଂ ଅଫିସରଙ୍କ ପାଇଁ ଆଉ କେତେକ ସାବଧାନତା ମୂଳକ ପଦକ୍ଷେପ ନେବାକୁ ମହାସଂଘ ସରକାରଙ୍କୁ ଅନୁରୋଧ କରିଛି। ସଚିବାଳୟର ସମସ୍ତ ବର୍ଗର କର୍ମଚାରୀଙ୍କ ବ୍ୟବହାର ପାଇଁ ଶୁଦ୍ଧ ପିଇବା ପାଣି, ସାନିଟାଇଜର, ଟିସୁ ପେପର ଓ ମାସ୍କ ମାଗଣାରେ ଯୋଗାଇଦେବାକୁ ମହାସଂଘ ଅନୁରୋଧ କରିଛି। ଏହାଛଡ଼ା ସଚିବାଳୟ ପରିସରରେ ଥିବା ଚା’ ଦୋକାନ, ଜଳଖିଆ ଦୋକାନ ଓ ହୋଟେଲ ସବୁ ଯେପରି ଗରମ, ତଟକା, ପ୍ୟାକେଟ ଖାଦ୍ୟ ପରସନ୍ତି ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କୁହାଯାଇଛି। କାଚ ଗ୍ଲାସ୍‌ ବା ଅନ୍ୟାନ୍ୟ ଧାତୁ ନିର୍ମିତ ଗ୍ଲାସ ବ୍ୟବହାର ଉପରେ କଟକଣା କରିବା ସହିତ କାଗଜ ନିର୍ମିତ ଗ୍ଲାସ ଓ ପ୍ଲେଟ୍‌ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି। କର୍ମଚାରୀମାନେ ବସୁଥିବା ସ୍ଥାନ ଓ ପରିଶ୍ରାଗାରକୁ ଭଲ ଭାବରେ ଓ ବାରମ୍ବାର ବିଶୋଧନ କରିବା ଏବଂ ସଚିବାଳୟ ପରିସରକୁ ସଫାସୁତରା ରଖିବା ସାଙ୍ଗକୁ ନିୟମିତ ବ୍ୟବଧାନରେ ବିଶୋଧନ କରିବାକୁ ମହାସଂଘ ପ୍ରସ୍ତାବ ୍‌ଦେଇଛି। ଏଥିସହିତ ସଚିବାଳୟକୁ ଆସୁଥିବା ଅଣକର୍ମଚାରୀଙ୍କ ସଂଖ୍ୟାକୁ ଯଥା ସମ୍ଭବ କମ୍‌ କରିବା ସାଙ୍ଗକୁ ସେମାନଙ୍କ ଯାତାୟତ ଉପରେ ନିୟନ୍ତ୍ରଣ ରଖିବା ପାଇଁ କୁହାଯାଇଛି।