Categories: ଜାତୀୟ

ରାଜ୍ୟ ସଭାର ୨୫୦ତମ ଅଧିବେଶନର ସ୍ବତନ୍ତ୍ର ଆଲୋଚନା: ରାଜ୍ୟଗୁଡ଼ିକର ସମାନ ପ୍ରତିନିଧିତ୍ୱ ପ୍ରସ୍ତାବ

ନୂଆଦିଲ୍ଲୀ,୧୯ା୧୧(ପି.ଟି.): ରାଜ୍ୟ ସଭାରେ ରାଜ୍ୟଗୁଡିକର ସମାନ ପ୍ରତିନିଧିତ୍ୱ ରହିବା ଆବଶ୍ୟକ ବୋଲି ୨୫୦ତମ ଅଧିବେଶନ ଅବସରରେ ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାରେ ଭାଗନେଇ ସଦସ୍ୟମାନେ ମତ ଦେଇଛନ୍ତି। ସେହିପରି ବିଭିନ୍ନ ପ୍ରସଙ୍ଗ ଉପରେ ବିତର୍କର ସମୟସୀମା ଧାର୍ଯ୍ୟ ନ କରିବା ପାଇଁ ମଧ୍ୟ କେତେଜଣ ସଦସ୍ୟ ପ୍ରସ୍ତାବ ରଖିଥିଲେ। ଉଚ୍ଚ ସଦନର ବ୍ୟବସ୍ଥାପକ କ୍ଷମତା ହ୍ରାସ ପାଉଥିବା କେତେଜଣ ଅଭିଯୋଗ ଆଣିଥିଲେ। ରାଜ୍ୟ ସଭା ସିଲେକ୍ଟ କମିଟିର ଅଧିକ ପ୍ରଭାବ ରହିବା ଆବଶ୍ୟକ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ। ଉକ୍ତ କମିଟି ବିଲ୍‌ଗୁଡିକର ଯାଞ୍ଚ କରିଥାଏ। ତେଣୁ ଗୃହର ବରିଷ୍ଠ ସଦସ୍ୟ ମନମୋହନଙ୍କ ପାଖରେ ଭୁଲ୍‌ ତଥ୍ୟ ଦିଆଯାଇଥାଇ ପାରେ ବୋଲି ଭାଜପା ସଦସ୍ୟ ଭୂପେନ୍ଦର ଯାଦବ କହିଥିଲେ। ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସିଲେକ୍ଟ କମିଟିକୁ ୫ଟି ବିଲ୍‌ ପାଇଥିଲାବେଳେ ଏନ୍‌ଡିଏ ସରକାର ୧୭ଟି ବିଲ୍‌ ପଠାଇଥିବା ସେ ଗୃହକୁ ସୂଚନା ଦେଇଥିଲେ। ତେବେ ବିରୋଧୀ ଦଳର ଦାବି ଫଳରେ ବିଲ୍‌ଗୁଡିକ ସିଲେକ୍ଟ କମିଟିକୁ ଯାଇଥିବା ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ଆନନ୍ଦ ଶର୍ମା କହିଥିଲେ।
ପାର୍ଲାମେଣ୍ଟର ଉଚ୍ଚ ସଦନ ରାଜ୍ୟ ପରିଷଦ ହୋଇଥିବାରୁ ରାଜ୍ୟଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣରେ ଏହାର ବଡ଼ ଭୂମିକା ରହିବା ଆବଶ୍ୟକ ବୋଲି ମନମୋହନ ସିଂ କହିଥିଲେ। ତେବେ ସେ ନିକଟରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଜମ୍ମୁ-କଶ୍ମୀରର ନାଁ ନେଇ ନ ଥିଲେ। ‘ଭାରତୀୟ ଶାସନ ବ୍ୟବସ୍ଥାରେ ରାଜ୍ୟ ସଭାର ଭୂମିକା: ସଂସ୍କାରର ଆବଶ୍ୟକତା’ ଶୀର୍ଷକ ଆଲୋଚନାରେ ଭାଗ ନେଇ ମନମୋହନ କହିଥିଲେ, କେତେକ କାର୍ଯ୍ୟ ପାଇଁ ଉଚ୍ଚ ସଦନକୁ ସରକାର ଅଧିକ ସମ୍ମାନ ଦେବା ଉଚିତ। ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ କରାଉଥିବା ରାଜ୍ୟ ସଭାକୁ ଅଧିକ କ୍ଷମତା ମିଳିବା ଆବଶ୍ୟକ ବୋଲି ସେ କହିଥିଲେ।

Share