ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ ପରିଚାଳନା କମିଟି ବୈଠକ: ୨୮ କୋଟି ୭୫ ଲକ୍ଷ ଟଙ୍କାର ବଜେଟ ଅନୁମୋଦିତ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ ୩୧ତମ ପରିଚାଳନା କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୧୯-୨୦ ବର୍ଷ ପାଇଁ ୨୮ କୋଟି ୭୫ ଲକ୍ଷ ଟଙ୍କାର ବ୍ୟୟବରାଦ ଅନୁମୋଦିତ ହୋଇଛି। ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ଅଧିକ ବ୍ୟାପକ କରାଯିବା ସହ ଆବଶ୍ୟକ ପଡୁଥିବା ୪.୫ ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ଶତପ୍ରତିଶତ ହାସଲ କରିବାକୁ ନିଷ୍ପତ୍ତି ହୋଇଛି। ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ବିକେନ୍ଦ୍ରୀକରଣ କରାଯାଇ ଏହାକୁ ଅଧିକ ସୁଦୃଢ଼ କରାଯିବ। ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଆର୍‌ଜିଏଚ୍‌ ରାଉରକେଲା ଏବଂ ବରଗଡ଼ ହସ୍ପିଟାଲ ପାଇଁ ରକ୍ତସଂଗ୍ରହ ଭ୍ୟାନ୍‌ ବ୍ୟବସ୍ଥା ହେବ। ଘରୋଇ ଡାକ୍ତରଖାନାଗୁଡ଼ିକରେ ଥିବା ରକ୍ତଭଣ୍ଡାର ସହିତ ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ୮୩ଟି ରକ୍ତ ଭଣ୍ଡାର ରହିଥିବାବେଳେ ସେଥିରୁ ୫୫ଟି ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ୧୬ଟି ରକ୍ତ ଉପାଦାନ ପୃଥକୀକରଣ ୟୁନିଟ୍‌ କାର୍ଯ୍ୟକରୁଛି। ରାଜ୍ୟ ସରକାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସିତ ରୋଗୀମାନଙ୍କୁ ମାଗଣାରେ ରକ୍ତ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏଥିସହ ହେମୋଗ୍ଳୋବିନୋପାଥି ରୋଗୀଙ୍କ ପାଇଁ ଯାତାୟତ ବାବଦକୁ ୫୦୦ ଟଙ୍କା ପ୍ରଦାନ କରୁଛନ୍ତି। ୨୦୧୮ ମାର୍ଚ୍ଚ ୧ରୁ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଏହିଭଳି ୧୧୭୦୬ଜଣ ରୋଗୀ ଉପକୃତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ କାର୍ଯ୍ୟଧାରାରେ ପରବର୍ତ୍ତନ ଆଣି ସ୍ବେଚ୍ଛାକୃତ ରକ୍ତ ସଂଗ୍ରହ, କ୍ୟାମ୍ପ ଆୟୋଜନ ଆଦିକୁ ଅଧିକ ସୁଦୃଢ଼ କରିବା ସହିତ ଗୁଣାତ୍ମକ ରକ୍ତ ଯୋଗାଣ ନିମନ୍ତେ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଏସ୍‌ବିଟିସି ନିର୍ଦ୍ଦେଶକ ଡା. ମାନସ ସାମନ୍ତରାୟ, ଅର୍ଥ ବିଭାଗର ଅତିରିକ୍ତ ସଚିବ ଗଦାଧର ନନ୍ଦି, ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ, ଭିମ୍‌ସାର ଅଧୀକ୍ଷକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।