ରାଜ୍ୟ ଭିତରେ ଚାଲିବ ଟ୍ରେନ୍‌

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟ ଭିତରେ ଟ୍ରେନ୍‌ ଚଳାଚଳ କରିପାରିବ। ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରେଳ ବିଭାଗ ଏବଂ ଗୃହ ମନ୍ତ୍ରଣାଳୟ ଏସ୍‌ଓପି ଅନୁସାରେ ଟ୍ରେନ୍‌ ଚାଲିବ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ପ୍ରକାଶ ଯେ, ରାଜ୍ୟ ଭିତରେ ଦୁଇ ଚକିଆ ଯାନ, ଘରୋଇ କାର୍‌ , ସରକାରୀ ଗାଡ଼ି, ଟ୍ୟାକ୍ସି, ଅଟୋ ରିକ୍ସା ଚାଲିବ। କିନ୍ତୁ ଚାରିଚକିଆ ଯାନରେ ୨ଜଣ ଯାତ୍ରୀ ଯାତ୍ରା କରିପାରିବେ। ରାଜ୍ୟରେ ଅନ୍ୟ ବସ୍‌ ଚାଲିବାକୁ ଅନୁମତି ମିଳିଛି। ସୋମବାରଠାରୁ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଛି। ହେଲେ ଗାଡ଼ିରେ ସିଟ୍‌ କ୍ଷମତାରୁ ଅଧିକ ଲୋକ ଯାଇପାରିବେ ନାହିଁ। କୌଣସି ଯାତ୍ରୀ ଛିଡ଼ା ହୋଇ ଯିବେ ନାହିଁ। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଟ୍ରାନ୍ସପୋର୍ଟ କମିଶନର ଏବଂ ରାଜ୍ୟ ପୋଲିସ ବ୍ୟବସ୍ଥାକୁ ସଜାଗ କରାଯାଇଛି। ସେମାନେ ଏହା ଉପରେ ନଜର ରଖିବେ। ରାଜ୍ୟରେ ଟ୍ରେନ୍‌ ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି। ସେହିଭଳି ବିମାନବନ୍ଦର, ରେଳଷ୍ଟେଶନରୁ ଯାତ୍ରୀ ନେବାଆଣିବା ଲାଗି ଘରୋଇ ଗାଡ଼ି, ଟ୍ୟାକ୍ସିକୁ ଯିବା ଅନୁମତି ଦିଆଯାଇଛି। ଏମାନେ କଫ୍ୟୁ ସମୟରେ ବି ଯାତ୍ରା କରିପାରିବେ। କିନ୍ତୁ ଯାତ୍ରା କରିବା ସମୟରେ ମାସ୍କ ବ୍ୟବହାର କରନ୍ତୁ। ସାନିଟାଇଜର ରଖନ୍ତୁ। ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରୀଙ୍କଠାରେ କୋଭିଡ-୧୯ର ଲକ୍ଷଣ ଥିଲେ ତାକୁ ଯିବାକୁ ଦିଆଯିବ ନାହିଁ ବୋଲି ରବିବାର ଖବରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।