‘ରାଜ୍ୟ ବାହାରେ କଳାପ୍ରଦର୍ଶନ କରିବାକୁ ଲକ୍ଷ୍ୟ’: କେନ୍ଦୁଝରର ଯୁବ ଶିଳ୍ପୀ ନିଶିକାନ୍ତ

କେନ୍ଦୁଝର, ୧୧।୧୨(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ଗ୍ରାମର ଯୁବ ଟେରାକୋଟା ଶିଳ୍ପୀ ନିଶିକାନ୍ତ ବେହେରା। ନିଜ ବାପାଙ୍କଠାରୁ ଟେରାକୋଟା ଶିଳ୍ପ କଳା ଶିଖିବା ପରେ ଏବେ ସ୍ୟାଣ୍ଡ ଆର୍ଟ ପାଇଁ ମନ ବଳାଇଛନ୍ତି। ଏହି କଳାରେ ପ୍ରତିଭା ପ୍ରଦର୍ଶନ ଲାଗି ଏଥର କୋଣାର୍କ ମହୋତ୍ସବ ଅବସରରେ ତାଙ୍କୁ ମିଳିଥିଲା ସୁଯୋଗ। ସେଠାରେ ନିଖୁଣ କଳାକୃତି ପ୍ରଦର୍ଶନ କରି ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି। କେନ୍ଦୁଝର ଭଳି ଖଣି ଖାଦାନ ଭଳି ଜିଲାରେ ବାଲି ଉପଲବ୍ଧ ହେଉ ନ ଥିବାରୁ ସେ ଅଭ୍ୟାସ କରିବା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହି ଜିଲାର ଯୁବ ଶିଳ୍ପୀଙ୍କୁ ପ୍ରୋତ୍ସାହିତ କରାଗଲେ ସେମାନେ ବିଭିନ କଳାରେ ପାରଦର୍ଶିତା ପ୍ରଦର୍ଶନ କରିପାରିବେ ବୋଲି ନିଶିକାନ୍ତ କହିଛନ୍ତି। ଆଗାମୀ ଦିନରେ ରାଜ୍ୟ ବାହାରେ ସେ ତାଙ୍କ କଳା ପ୍ରତିଭା ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଥିବା ଏହି ଅବସରରେ ପ୍ରକାଶ କରିଛନ୍ତି।
କୋଣାର୍କର ଚନ୍ଦ୍ରଭାଗାରେ ୧ରୁ ୫ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୟାଣ୍ତ ଆର୍ଟ ଫେଷ୍ଟିଭାଲ ବାଲୁକାଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟଠାରୁ ଆନ୍ତର୍ଜାତିକ ସ୍ତର ଯାଏ ୧୨୩ଜଣ ବାଲୁକାଶିଳ୍ପୀ ଭାଗ ନେଇଥିଲେ। ସେଠାରେ ବାଲୁକାଚିତ୍ରର ୪୨ଟି ଷ୍ଟଲ ହୋଇଥିଲା। କେନ୍ଦୁଝର ଜିଲାରୁ ଯାଇଥିବା ନିଶିକାନ୍ତଙ୍କ ଗ୍ରୁପ୍‌ରେ ସୌରଭ ନାଏକ, ଅଜୟ ଘୋଷ ଓ ଗତିକୃଷ୍ଣ ନାୟକ ପ୍ରମୁଖ ସାମିଲଥିଲେ। ସେମାନେ ୫ଟି ବିଷୟବସ୍ତୁକୁ ନେଇ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏଠାରେ ନିଶିକାନ୍ତଙ୍କ ବାଲୁକା ଚିତ୍ରକଳା ବେଶ ପ୍ରଶଂସିତ ହୋଇଥିଲା।
ନିଶିକାନ୍ତ ଏବେ ବାଲେଶ୍ୱରରେ ଚିତ୍ର କଳା ଅଧ୍ୟୟନ କରୁଛନ୍ତି। ତାଙ୍କ ବାପା ଗୌର ଚରଣ ବେହେରା ଜଣେ ଟେରାକୋଟା ଶିଳ୍ପୀ। ତାଙ୍କ ଠାରୁ ସେ ପିଲା ଦିନରୁ ଏହି ଟେରାକୋଟା କଳା ଶିକ୍ଷା ଲାଭ କରି ନିଜକୁ ଜଣେ ଟେରାକୋଟା ଶିଳ୍ପୀ ଭାବରେ ପରିଚିତ କରାଇ ପାରିଛନ୍ତି। ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଆଦର୍ଶ ଭାବେ ଗ୍ରହଣ କରି ସ୍ୟାଣ୍ଡ ଆର୍ଟରେ ନିଜ ପ୍ରତିଭା ପ୍ରଦର୍ଶନ ଲାଗି ଉଦ୍ୟମ ଚଳାଇଛନ୍ତି। କେନ୍ଦୁଝର ଜିଲାରେ କଳାର ଶିକ୍ଷା ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।