Categories: ମେଟ୍ରୋ

ରାଜ୍ୟ ପାଳିବ ପ୍ରଥମ ଲୋକକଳା ଦିବସ : ଜିଲା, ରାଜ୍ୟସ୍ତରରେ ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ପ୍ରଥମ ଥର ପାଇଁ ଜୁନ୍‌ ୧୪ରେ ପାଳନ ହେବାକୁ ଯାଉଛି ଲୋକକଳା ଦିବସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଏବଂ ଜିଲାସ୍ତରରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳନ କରାଯିବ। ଏ ନେଇ ବିଭାଗୀୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ସୂଚନା ଦେଇଛନ୍ତି। ଗତ ଫେବୃୟାରୀ ୨୧ରେ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ମଣ୍ଡପଠାରେ କଳାକାର ଦିବସ ପାଳନ ସମ୍ପର୍କରେ ଘୋଷଣା କରିବା ସହ ଏହାର ଲୋଗୋ ଉନ୍ମୋଚନ କରିଥିଲେ। ଏହାପରେ ପ୍ରତିବର୍ଷ ରଜ ପର୍ବ ଅବସରରେ ଲୋକକଳା ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା।
ପ୍ରଥମ ଲୋକକଳା ଦିବସ ପାଳନ ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଛି। ଧୀରେ ଧୀରେ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୧୪ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ସ୍ବତନ୍ତ୍ର ସାଂସ୍କୃତିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଆୟୋଜନ ହେବ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୪ ଲୋକକଳା ଦଳ ଲୋକକଳା ପରିବେଷଣ କରିବେ। ବଲାଙ୍ଗୀରର ସଙ୍ଗୀତ ସାଧନା ଗ୍ରୁପ୍‌ ତରଫରୁ ‘ଭାଇ ଜିଉଁତିଆ’, ଗଞ୍ଜାମର ସନ୍ତୋଷ ପାଢ଼ୀ ଓ ସାଥୀ ‘ଭାରତ ଲୀଳା’, କଟକର ଉତ୍ସବ ଚରଣ ଦାସ ଓ ସାଥୀଙ୍କ ଦ୍ୱାରା ‘ଚଇତିଘୋଡ଼ା’, ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନ ପକ୍ଷରୁ ‘ସିଂହାରୀ ନୃତ୍ୟ’ ପରିବେଷଣ କରାଯିବ। ଏଥିସହିତ କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ, ନୟାଗଡ଼, ବଲାଙ୍ଗୀର ଏବଂ ଢେଙ୍କାନାଳ ଜିଲାରୁ ୫୦ଜଣ ଲେଖାଏ ମୋଟ ୫୦୦ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ରଜର ପ୍ରଥମ ଦିନରେ ପାଳନ କରାଯାଉଥିବାରୁ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟକ୍ରମସ୍ଥଳୀରେ ରଜଦୋଳି ସହ ପିଠା ଓ ମିଠାର ବ୍ୟବସ୍ଥା କରାଯିବ। ରବୀନ୍ଦ୍ର ମଣ୍ଡପ ବାହାରେ ରଜ ଉତ୍ସବ ଏବଂ ଭିତରେ ଲୋକକଳା ଦିବସ ପାଳନ ହେବ। ସେହିପରି ଜିଲା କଳା ସଂସ୍କୃତି ସଂଘ(ଜେଡ୍‌କେଏସ୍‌ଏସ୍‌) ଏବଂ ବ୍ଲକ କଳା ସଂସ୍କୃତି ସଂଘ(ବିକେଏସ୍‌ଏସ୍‌)ର ମିଳିତ ସହଯୋଗରେ ଜିଲାସ୍ତରରେ ଲୋକକଳା ଦିବସ ପାଳନ କରାଯିବ। ଶହ ଶହ କଳାକାରଙ୍କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା ସହ ସଭା, ସମ୍ବର୍ଦ୍ଧନା, ନାଚ, ଗୀତ ଆଦି ପରିବେଷଣ କରାଯିବ ବୋଲି ମାଲ୍‌ବିଶୋୟୀ ସୂଚନା ଦେଇଛନ୍ତି।