ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ୍‌ ଟୁର୍ନାମେଣ୍ଟ; ୬ ଗ୍ରାଉଣ୍ଡରେ ଖେଳାଗଲା ୧୨ ମ୍ୟାଚ

ଅନୁଗୋଳ ଅଫିସ, ୨୮।୧୧:  ଅନୁଗୋଳ ଜିଲାରେ ବୁଧବାର ୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ୬ ଗ୍ରାଉଣ୍ଡରେ ମୋଟ ୧୨ ମ୍ୟାଚ ଖେଳାଯାଇଥିଲା। ପୁରୁଷ ବିଭାଗରେ ୫ଟି ପଡ଼ିଆରେ ମୋଟ ୧୦ଟି ମ୍ୟାଚ୍‌ ଖେଳାଯାଇଥିଲା। ଟାଉନ ହାଇସ୍କୁଲ ପଡ଼ିଆରେ ମହିଳା ଟିମ୍‌ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଟାଉନ ହାଇସ୍କୁଲ ପଡ଼ିଆରେ ପ୍ରଥମ ମ୍ୟାଚ ଭୁବନେଶ୍ୱର ଏବଂ ବାଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ଟିମ୍‌ ୮ ଉଇକେଟରେ ବିଜୟୀ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ କଟକ ଏବଂ ଅନୁଗୋଳ ମଧ୍ୟରେ ଖେଳାଯାଇଥିଲା। ଏଥିରେ କଟକ ୮୮ ରନ୍‌ରେ ବିଜୟୀ ହୋଇଛି।
କଦମ ପଡ଼ିଆରେ ପୁରୁଷ ବିଭାଗର ପ୍ରଥମ ମ୍ୟାଚ୍‌ ବରଗଡ଼ ଏବଂ ଝାରସୁଗୁଡ଼ା ମଧ୍ୟରେ ଖେଳାଯାଇଥିଲା। ଏଥିରେ ବରଗଡ଼ ୪ ଉଇକେଟରେ ଜିତିଯାଇଛି। ଦ୍ୱିତୀୟ ମ୍ୟାଚ ଯାଜପୁର ଏବଂ କନ୍ଧମାଳ ମଧ୍ୟରେ ହୋଇଥିଲା। ଯାଜପୁର ୫୮ ରନ୍‌ରେ ବିଜୟୀ ହୋଇଛି। ଅନୁଗୋଳ ଷ୍ଟାଡିୟମ୍‌ରେ ମୟୂରଭଞ୍ଜ ଏବଂ ପୁରୀ ଜିଲା ମଧ୍ୟରେ ଖେଳାଯାଇଥିଲା। ଏଥିରେ ମୟୂରଭଞ୍ଜ ୬୧ ରନ୍‌ରେ ବିଜୟୀ ହୋଇଛି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ବାଲେଶ୍ୱର ଏବଂ ବୌଦ୍ଧ ଜିଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ୯ ଉଇକେଟରେ ବିଜୟ ହାସଲ କରିଛି।
ପିଟିସି ପଡ଼ିଆରେ ପ୍ରଥମ ମ୍ୟାଚ ରାୟଗଡ଼ା ଓ କଳାହାଣ୍ଡି ଜିଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ କଳାହାଣ୍ଡି ୪୮ ରନ୍‌ରେ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ ଗଞ୍ଜାମ ଓ ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ୮ ଉଇକେଟରେ ବାଜି ମାରିନେଇଛି। ଖଲାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ପ୍ରଥମ ମ୍ୟାଚ ନବରଙ୍ଗପୁର ଏବଂ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ୧୫୧ ରନ୍‌ରେ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ ଜଗତ୍‌ସିଂହପୁର ଓ କୋରାପୁଟ ଜିଲା ମଧ୍ୟରେ ଖେଳାଯାଇଥିବାବେଳେ ଏଥିରେ ଜଗତସିଂହପୁର ୨ ଉଇକେଟରେ ବିଜୟୀ ହୋଇଛି। ଛେଳିଆପଡ଼ା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ମ୍ୟାଚ ନୂଆପଡ଼ା ଏବଂ ଅନୁଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆପଡ଼ା ୨ ଉଇକେଟରେ ବିଜୟୀ ହୋଇଛି। ସେହିପରି ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଓ ସୋନପୁର ଜିଲା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଖୋର୍ଦ୍ଧା ୭ ଉଇକେଟରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ଟୁର୍ନାମେଣ୍ଟ ଡିସେମ୍ବର ୧ରେ ଉଦ୍‌ଯାପିତ ହେବ।