ରାଜ୍ୟରେ ରହିଛି ୬୩ କୃଷି, ୮୫ ଉଦ୍ୟାନ କୃଷି ଫାର୍ମ: ଆଧୁନିକୀକରଣ ପାଇଁ ଖର୍ଚ୍ଚ ହୋଇଛି ୧୨୬୨ଲକ୍ଷ ଟଙ୍କା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ୬୩ଟି କୃଷି ଫାର୍ମ ଏବଂ ୮୫ଟି ଉଦ୍ୟାନ କୃଷି ଫାର୍ମ ରହିଛି। ସେଥିରୁ ୪ଟି କୃଷି ଫାର୍ମ ଓ ୫ଟି ଉଦ୍ୟାନ କୃଷି ଫାର୍ମ ବନ୍ଦ ହୋଇଯାଇଛି। ସେଗୁଡ଼ିକ ପୁନଃଉଦ୍ଧାର କରିବା ଅବସ୍ଥାରେ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ବୁଧବାର ପ୍ରଶ୍ନୋତ୍ତର ବେଳେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ରାଜ୍ୟରେ କେତେ ସଂଖ୍ୟକ କୃଷି ଫାର୍ମ ଅଛି ଏବଂ ସେଥିରୁ କେତେ ଅଚଳ ରହିଛି, କୃଷି ଫାର୍ମର ଆଧୁନିକିକରଣ ପାଇଁ କେନ୍ଦ୍ର ସରକାର ଗତ ୨୦ ବର୍ଷ ମଧ୍ୟରେ କେତେ ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ମୂଳ ପ୍ରଶ୍ନରେ ପଚାରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, କୃଷି ଫାର୍ମ ଆଧୁନିକୀକରଣ ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିଓ୍ବାଇ)ରେ ୨୦୧୦-୧୧ରେ ୯୯୦.୮୮୪ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବେଳେ ୨୦୧୬-୧୮ ମଧ୍ୟରେ ୩୧ଟି ଫାର୍ମକୁ ୧୬୯୬.୮୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ସେଥିରୁ ୧୨୬୨.୪୯ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଫାର୍ମଗୁଡ଼ିକର ଆଧୁନିକୀକରଣପାଇଁ କେନ୍ଦ୍ର ସରକାରଙ୍କ ଆର୍‌କେଭିଓ୍ବାଇ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ୧୨୬୪.୭୪ଲକ୍ଷ ଏବଂ ୪୬୦.୫୭ ଲକ୍ଷ ଟଙ୍କା ଅନୁଦାନ ଆକାରରେ ମିଳିଛି। ସରକାରୀ କୃଷି ଫାର୍ମରେ ସାଧାରଣତଃ ପିଣ୍ଡ ବିହନ ଉତ୍ପାଦନ ହୋଇଥାଏ। ରାଜ୍ୟରେ ବିହନ ଚାହିଦା ମେଣ୍ଟାଇବା ପାଇଁ ଆବଶ୍ୟକସ୍ଥଳେ ଧାନ ଏବଂ ଅଣଧାନ ଏବଂ ରାଜ୍ୟ ବାହାରରୁ ଚାହିଦା ମୁତାବକ ଅଣାଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି।