ରାଜ୍ୟରେ ବଢୁଛି କଏଦୀ ସଂଖ୍ୟା

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟରେ ବର୍ତ୍ତନା ୮୬ଟି ଜେଲ୍‌ ରହିଥିବାବେଳେ ପ୍ରତିବର୍ଷ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି। ପୂର୍ବବର୍ଷ ତୁଳନାରେ ୨୦୧୯ରେ ପ୍ରାୟ ୬.୪୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮ରେ ରାଜ୍ୟର ବିଭିନ୍ନ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ୧୬୫୦୧ ରହିଥିଲାବେଳେ ଗତବର୍ଷ ୧୭୫୬୩କୁ ବୃଦ୍ଧି ପାଇଥିବା ରାଜ୍ୟ ଜେଲ୍‌ ବିଭାଗ ତଥ୍ୟରୁ ଜଣାପଡିଛି। ତେବେ ଏମାନଙ୍କ ମଧ୍ୟରୁ ୩୭୨୫ଜଣ ସଜା କାଟୁଥିବା କଏଦୀ ରହିଥିବାବେଳେ ୧୩୮୩୮ଜଣ ବିଚାରଧିନ କଏଦୀ ରହିଛନ୍ତି। ୨୪ଜଣଙ୍କ ମାମଲା ସ୍ଥଗିତ ରଖାଯାଇଛି। ଜେଲ୍‌ ଅନ୍ତେବାସୀଙ୍କ ମଧ୍ୟରେ ୧୨୭ଜଣ ମହିଳା ରହିଛନ୍ତି। ସବୁଠୁ ଚିନ୍ତାଜନକ କାରଣ ହେଲା ଓଡ଼ିଶାର ବିଭିନ୍ନ କାରାଗାରରେ କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି। ୨୦୧୭ରେ ଜେଲରେ ରହିବାର କ୍ଷମତା ୧୮୦୧୨ ଥିବାବେଳେ ୧୫୨୨୩ ଜଣ କଏଦୀ ରହିଥିଲେ। ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ ଜେଲ୍‌ରେ କଏଦୀ ରହିବା କ୍ଷମତାକୁ ୧୯୧୭୬କୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ସେହିବର୍ଷ କଏଦୀ ସଂଖ୍ୟାରେ ବୃଦ୍ଧି ଘଟି ୧୬୫୦୧ ପହଞ୍ଚତ୍ଥିଲା। ଏହି ହାରକୁ ଦେଖିଲେ ୨୦୧୭ରେ ଜେଲ୍‌ କ୍ଷମତାର ମୋଟ ୮୪ ପ୍ରତିଶତ କଏଦୀ ରହିଥିବାବେଳେ ୨୦୧୮ରେ ୮୬.୧ ପ୍ରତିଶତ ଓ ୨୦୧୯ରେ ଏଥିରେ ୬.୨୫ ପ୍ରତିଶ୍ରତ ବୃଦ୍ଧି ପାଇଁ ୯୨.୩୫ ପ୍ରତିଶତରେ ପହଞ୍ଚତ୍ଛି। ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, କଏଦୀ ସଂଖ୍ୟାକୁ ଦୃଷ୍ଟିରେ ରଖି କଟକ ଓ ସୁନ୍ଦରଗଡ଼ ଜିଲାରେ ୧ ହଜାର ଲେଖାଏ କଏଦୀ ରହିପାରିବା ଭଳି ଦୁଇଟି ନୂଆ ଜେଲ୍‌ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ।
ଅନ୍ୟପକ୍ଷରେ ୬୯୭୯୪ଜଣ କଏଦୀଙ୍କୁ ଜେଲରେ ଭର୍ତ୍ତି କରାଯାଇଥିବାବେଳେ ୨୦୧୯ରେ ୬୮୭୩୨ ଜଣ ଅନ୍ତେବାସୀଙ୍କୁ ଜାମିନରେ ମୁକ୍ତ ହୋଇଛନ୍ତି। ୨୦୧୮ରେ ୫୧ ଓ ୨୦୧୯ରେ ୫୩ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି। ଏହି ୫୩ଜଣଙ୍କ ମଧ୍ୟରୁ ୪୮ ଜଣ ଅନ୍ତେବାସୀ ଅସୁସ୍ଥତା ଯୋଗୁ ମୃତ୍ୟୁବରଣ କରିଥିବାବେଳେ ୪ଜଣ ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି ଓ ଚୌଦ୍ୱାରା ସର୍କଲ ଜେଲରେ ଜଣେ କଏଦୀକୁ ହତ୍ୟା କରାଯାଇଛି।