ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ବିତ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ସାରା ରାଜ୍ୟରେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲିଥିବାବେଳେ ଫେବୃୟାରୀ ୧୩ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ୱାରା ୪୩ ଲକ୍ଷ ୩୮ ହଜାର ୭୭୮ ଟନ ଧାନ ବିଭିନ୍ନ ମଣ୍ଡି ଜରିଆରେ ସଂଗ୍ରହ କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୮୭ ପ୍ରତିଶତ ବୋଲି ଜଣାପଡିଛି। ଚଳିତବର୍ଷ ରାଜ୍ୟ ସରକାର ଖରିଫରେ ୫୦ ଲକ୍ଷ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେଣୁ ଆସନ୍ତା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଧାନ ସଂଗ୍ରହ ଚାଲିବ। ୩୦ ଜିଲାରେ ୩, ୫୪୧ଟି ଧାନମଣ୍ଡି ମାଧ୍ୟମରେ ଚାଷୀମାନଙ୍କ ପି-ପାସ୍‌ ଓ ଆଗୁଆ ଟୋକେନ୍‌ ପ୍ରଦାନ ମାଧ୍ୟମରେ ଧାନ ସଂଗ୍ରହ କାର୍ଯ୍ୟ କରାଯାଉଛି। ଏଯାବତ୍‌ ଚାଷୀମାନଙ୍କୁ ସମୁଦାୟ ୧୦ ଲକ୍ଷ ୨ ହଜାର ୮୨୩ଟି ଆଗୁଆ ଟୋକେନ୍‌ ପ୍ରଦାନ କରାଯାଇଛି। ଗୁରୁବାର ସୁଦ୍ଧା ୭ ଲକ୍ଷ ୬୯ ହଜାର ୮୬୦ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି।
ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲାଗୁଡ଼ିକ ମଧ୍ୟରେ ବାଲେଶ୍ୱରରୁ ୧ ଲକ୍ଷ ୨୬ ହଜାର ୯୦୭ ଟନ, ବରଗଡ଼ରୁ ୬ ଲକ୍ଷ ୩୭ ହଜାର ୩୮୯ ଟନ, ବଲାଙ୍ଗୀରରୁ ୩ ଲକ୍ଷ ୧ ହଜାର ୧୫୦ ଟନ, ଗଞ୍ଜାମ ଜିଲାରୁ ୨ ଲକ୍ଷ ୮୧ ହଜାର ୮୧୭ ଟନ, କଳାହାଣ୍ଡିରୁ ୪ ଲକ୍ଷ ୩୩ ହଜାର ୮୯୨ ଟନ, କୋରାପୁଟରୁ ୨ ଲକ୍ଷ ୯୬୨ ଟନ, ନବରଙ୍ଗପୁର ୧ ଲକ୍ଷ ୩୩ ହଜାର ୩୨୦ ଟନ, ସମ୍ବଲପୁର ଜିଲାରୁ ୨ ଲକ୍ଷ ୯୬ ହଜାର ୧୮୨ ଟନ, ନୂଆପଡ଼ାରୁ ୧ ଲକ୍ଷ ୨୧ ହଜାର ୩୦୧ ଟନ, ସୁବର୍ଣ୍ଣପୁର ଜିଲାରୁ ୩ ଲକ୍ଷ ୨୨ ହଜାର ୬୬୪ ଟନ ଏବଂ ସୁନ୍ଦରଗଡ଼ ଜିଲାରୁ ୧ ଲକ୍ଷ ୩୩ ହଜାର ୯୫୩ ଟନ ଧାନ ସଂଗ୍ରହ କରାଯାଇଛି। ଧାନ ସଂଗ୍ରହ ଅର୍ଥ ବାବଦକୁ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗୁରୁବାର ସୁଦ୍ଧା ପ୍ରାୟ ୭୪୫୮ କୋଟି ୭୯ ଲକ୍ଷ ଟଙ୍କା ପଠାଯାଇଥିବା ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।