ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ; ସରପଞ୍ଚ-ଏସ୍‌ଏଚ୍‌ଜି-ଜନସାଧାରଣଙ୍କ ପାଇଁ ସମ୍ଭବ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦୁଇ ମାସ ଧରି ସରକାର ରାଜ୍ୟବାସୀଙ୍କ ସହ କରୋନା ସହ ଯୁଦ୍ଧ ଲଢ଼ି ଆସୁଛନ୍ତି। ଏବେ ରାଜ୍ୟରେ କରୋନା ସ୍ଥିତି ବହୁମାତ୍ରାରେ ନିୟନ୍ତ୍ରଣରେ ରହିଛି। ଗତ ଦୁଇ ସପ୍ତାହରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲେ ସୁଦ୍ଧା ଏହା ଚିନ୍ତାଜନକ ସ୍ଥିତିରେ ନାହିଁ। କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ସଠିକ୍‌ ଭାବେ କ୍ୱାରାଣ୍ଟାଇନ୍‌ କରାଯାଇଥିବାରୁ ଏହା ସମ୍ଭବ ହୋଇଛି। ଗ୍ରାମାଞ୍ଚଳରେ ସରପଞ୍ଚ, ଜନସାଧାରଣ, ଏସ୍‌ଏଚ୍‌ଜି ମାନେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥାକୁ ଅନେକାଂଶରେ ପରିପାଳନ କରିଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଫଳରେ ଏବେ ଚିହ୍ନଟ ହେଉଥିବା ଆକ୍ରାନ୍ତମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ହିଁ ବାହାରୁଛନ୍ତି। ଏଣୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ରବିବାର ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦିଆଯାଇଛି।