ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି: ଭିତ୍ତିଭୂମି ବିକାଶ ଲାଗି ୫୦ କୋଟି ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର ଭିତ୍ତିଭୂମି ବିକାଶ ଓ ବିଜ୍ଞାନ ଶିକ୍ଷାର ଉନ୍ନତି ଲାଗି ୫୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଏବଂ ଅତିଥି ଭାବେ ଜିଲାପାଳ ଅରିନ୍ଦମ ଡାକୁଆ ମଞ୍ଚାସୀନ ହୋଇଥିଲେ। ଏହି ସମାରୋହରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, କ୍ରୀଡା ବିସ୍ମୟ ପ୍ରଣୀତ ମିଶ୍ର, କଲେଜର ପୁରାତନ ଛାତ୍ର ତଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଥିଲେ। ଆଲୁମ୍‌ନି ଆସୋସିଶନ ସଭାପତି ଲଳିତ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ ଓ ସମ୍ପାଦକ ଅରବିନ୍ଦ ଦାସ ସଭା ସଂଯୋଜନା କରିଥିଲେ।