ରାଜା ସିନା ପୂଜା ପାଏ

ରଞ୍ଜନ କୁମାର ଦାସ

ବହୁ କାଳ ତଳେ କବି ଯଦୁମଣି ପ୍ରସଙ୍ଗକ୍ରମେ କହିଥିଲେ ରାଜା ସିନା ପୂଜା ପାଏ ଆପଣା ଦେଶରେ, କବି ପୂଜା ପାଉଥାଏ ଦେଶ ବିଦେଶରେ। ସଂସ୍କୃତରେ ମଧ୍ୟ କଥିତ ଅଛି ସ୍ବଦେଶେ ପୂଜ୍ୟତେ ରାଜା ବିଦ୍ୱାନ ସର୍ବତ୍ର ପୂଜ୍ୟତେ। ଅର୍ଥାତ୍‌ ରାଜା କେବଳ ତାଙ୍କ କ୍ଷମତା ବା ଶକ୍ତି ଯୋଗୁ ବାଧ୍ୟବାଧକତାରେ ତାଙ୍କ ପ୍ରଜାଙ୍କ ଦ୍ୱାରା ପୂଜିତ ହୋଇଥାନ୍ତି। ବେଳେବେଳେ ପ୍ରଜାମାନେ ତାଙ୍କୁ ସନ୍ତୁଷ୍ଟ ରଖିବାକୁ ଲୋକ ଦେଖାଣିଆ ଭାବେ ଭକ୍ତି କରୁଛନ୍ତି ବା ଭଲ ପାଉଛନ୍ତି ବୋଲି ଦେଖାଇବାକୁ ଚେଷ୍ଟା କରିଥାନ୍ତି। ହୁଏତ ସେତେବେଳେ ସେମାନଙ୍କ ମନ ଭିତରେ ପ୍ରକୃତ ଭଲ ପାଇବା ବା ଭକ୍ତିଭାବ ନ ଥାଏ। କେବଳ ନିଜ ଆନୁଗତ୍ୟ ପ୍ରକାଶ କରିବାକୁ ପ୍ରଜାମାନେ ରାଜାଙ୍କ କଥାରେ ବାହା ବାହା କରନ୍ତି, ତାଳି ମାରନ୍ତି, ତାଙ୍କ ପାଦଛୁଇଁ ମୁଣ୍ଡିଆ ମାରନ୍ତି। ଅନ୍ୟଥା ତାଙ୍କ ମୁଣ୍ଡକାଟ ହେବାର ଭୟ ଥାଏ, ନିର୍ବାସନର ଆଶଙ୍କା ଥାଏ ବା ଧନସମ୍ପଦ ଛଡ଼ାଇ ନିଆଯିବାର ସମ୍ଭାବନା ଥାଏ। ତେଣୁ ସେ ଭକ୍ତି ବା ଭଲ ପାଇବା ପ୍ରକାରାନ୍ତରେ ଭୟ ଭକ୍ତି। ସେଥିରେ ପ୍ରେମ ଅପେକ୍ଷା ଭୟଭାବର ମାତ୍ରା ବେଶି ଥାଏ।
ଅପରପକ୍ଷରେ କବି ହୁଅନ୍ତୁ, କଳାକାର ହୁଅନ୍ତୁ, ସଜ୍ଜନ ହୁଅନ୍ତୁ ବା ସାଧୁସନ୍ଥ ହୁଅନ୍ତୁ, ସେମାନେ ଦେଶ, କାଳ, ପାତ୍ରର ଊର୍ଦ୍ଧ୍ୱରେ ଥାଇ ସର୍ବତ୍ର ଭଲ ପାଇବା ସାଉଁଟି ଥାଆନ୍ତି। ଲୋକେ ତାଙ୍କୁ ଯେଉଁଠି ଦେଖନ୍ତି ତାଙ୍କ ଚାରିପଟେ ଘେରି ଯାଆନ୍ତି। ତାଙ୍କ ସହ ସେଲ୍‌ଫି ନେବା ପାଇଁ ଲାଗିଯାଏ ଲାଇନ। ତାଙ୍କର ପଦେ କଥା ଶୁଣିବା ପାଇଁ ଲୋକେ ହୋଇଯାଆନ୍ତି ଦିୱାନା। ପାକିସ୍ତାନର ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ ତାଙ୍କ ଦେଶରେ କେବଳ କରତାଳି ପାଇ ପାରନ୍ତି, ମାତ୍ର ଭାରତ ଆସିଲେ ତାଙ୍କୁ କରତାଳି ଦେବ କିଏ, ତାଙ୍କ ସହ ଫଟୋ ଉଠାଇବାକୁ କିଏ ବା ବ୍ୟଗ୍ର ହେବ? ମାତ୍ର ଯଦି ସେଇ ପାକିସ୍ତାନରୁ ରାହତ ଫତେ ଅଲ୍ଲୀ ଖାଁ, ଅଲ୍ଲୀ ଜାଫର, ଆତିଫ୍‌ ଅସଲାମ, ଫାୱଦ ଖାଁ ବା ନୁସରତ ଫତେ ଅଲ୍ଲୀ ଖାଁ ଆସନ୍ତି ତେବେ ତାଙ୍କ ପ୍ରୋଗ୍ରାମ ଦେଖିବାକୁ କେତେ ଲୋକ ଏକାଠି ହୁଅନ୍ତି ଏଠି ! ସେତେବେଳେ ଭାରତୀୟ କଳାପ୍ରେମୀ ଲୋକଙ୍କ ମନରେ ଭାରତ ପାକିସ୍ତାନ ଭିତରର ବୈରଭାବ ଆଉ ନ ଥାଏ। ହୁଏତ ଆମର ଜଣେ ପ୍ରତିଷ୍ଠିତ ନେତା ପାକିସ୍ତାନ ଗଲେ ସେଠି ହାଏ ହାଏ ଧ୍ୱନି ପଡ଼ିପାରେ। ମାତ୍ର ସଲମାନ ଖାଁ, କି ଅମିର ଖାଁ ଯଦି ପାକିସ୍ତାନ ଯାଆନ୍ତି ସେ ହାଏ ହାଏ, ଓଏ ଓଏରେ ପରିଣତ ହୋଇଯାଇପାରେ।
ତେଣୁ ଏକଥା ନିଃସନ୍ଦେହରେ କୁହାଯାଇ ପାରେ ଯେ କଳାର କ୍ଷେତ୍ର ସବୁବେଳେ ପ୍ରେମର କ୍ଷେତ୍ର, ଘୃଣାର କ୍ଷେତ୍ର ନୁହେଁ। ଯେଉଁମାନେ କଳାରେ ଥାଆନ୍ତି ସେମାନେ ପ୍ରେମ ବାଣ୍ଟନ୍ତି, ପ୍ରେମ ସାଉଁଣ୍ଟନ୍ତି। ଘୃଣା ସହ ସେମାନଙ୍କର ଲେନ୍‌ଦେନ୍‌ ନ ଥାଏ। ଯେଉଁଠି କ୍ଷମତା ପାଇଁ ଯୁଦ୍ଧ ଥାଏ, ଯେଉଁଠି ଶକ୍ତି ପ୍ରଦର୍ଶନର ଆବଶ୍ୟକତା ଥାଏ ସେଠି ଘୃଣା ଆପେ ଆପେ ପଶିଯାଏ। ସେଠିକି ଆପେ ଆପେ ନାରକୀୟ ଚିନ୍ତାଧାରା, ଅସୂୟା, ଅସହନୀୟତା, ପରଶ୍ରୀକାତରତା, ଅସହିଷ୍ଣୁତା ତିରସ୍କାର, ତିିତିକ୍ଷା, ନିନ୍ଦାଗାନ ସବୁ ଆସିଯାଏ। ସେଠିକି ଆସିଯାଏ ବିରୋଧୀଙ୍କୁ ଦମନ କରିବାର ପ୍ରବୃତ୍ତି, ହିଂସା, ଦ୍ୱେଷ, ହତ୍ୟା, ଅତ୍ୟାଚାର, ବର୍ବରତାର ବିଚାରଧାରା।
ମାତ୍ର ଚିନ୍ତା କରାଯାଉ ଏପରି ଏକ ବିଶ୍ୱର ଦୃଶ୍ୟପଟ ଯେଉଁ ରାଜା ନିଜେ ଜଣେ କବି ହୋଇଥିବେ, ଦାର୍ଶନିକ ହୋଇଥିବେ, ଚିତ୍ରକର ହୋଇଥିବେ, ପ୍ରବଚକ ହୋଇଥିବେ, ସାଧୁ ହୋଇଥିବେ, ସନ୍ଥ ହୋଇଥିବେ, ନମ୍ର ଓ ବିନୟୀ ହୋଇଥିବେ, ପ୍ରଜାପାଳକ ହୋଇଥିବେ, ପ୍ରଜାନୁରଞ୍ଜକ ହୋଇଥିବେ। ଏକଥା ଆଜିକୁ ଅନେକ ବର୍ଷ ତଳେ ଚିନ୍ତା କରିଥିଲେ ଗ୍ରୀକ୍‌ ଦାର୍ଶନିକ ପ୍ଲାଟୋ। ରାଜନୀତି ବିଜ୍ଞାନର ଅଗ୍ରଚିନ୍ତକ ପ୍ଲାଟୋ ପରିକଳ୍ପନା କରିଥିଲେ ଏପରି ଏକ ଆଦର୍ଶ ରାଜ୍ୟର; ଯେଉଁଠି ରାଜା ଜଣେ ଦାର୍ଶନିକ ହେଇଥିବେ। ତାଙ୍କର ନିଜସ୍ବ ପରିବାର ନ ଥିବ। ପରିବାର ଥିଲେ ସିନା ସେ ପରିବାରର ଅଭିବୃଦ୍ଧି କଥା ଚିନ୍ତା କରିବେ। ଆପଣା ପରର ବାଛ ବିଚାର କରିବେ। ଏଭଳି ଜଣେ ଋଷିପ୍ରତିମ ସନ୍ନ୍ୟାସୀ ରାଜା ସାରା ରାଜ୍ୟକୁ ନିଜ ପରିବାର ବୋଲି ଭାବିବେ। ମୁଁ ବା ମୋ ପରିବାର କେମିତି ଖୁସିରେ ରହିବେ ଚିନ୍ତା ନ କରି ସେ ଚିନ୍ତା କରିବେ ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍‌ ଦୁଃଖଭାଗ୍‌ ଭବେତ୍‌। ତାଙ୍କର ଆପଣା ପର ଭେଦଭାବ ନ ଥିବ। ସମସ୍ତଙ୍କୁ ଖୁସି ହେବାର ଦେଖି ସେ ନିଜେ ଖୁସି ହେଉଥିବେ। ତାଙ୍କର ସବୁ ଭାବନା,ଚେତନା ସମର୍ପିତ ହୋଇଥିବ ଲୋକମାନଙ୍କ ମଙ୍ଗଳ ପାଇଁ। ସେ ନମ୍ର ଓ ବିନୟୀ ହୋଇଥିବେ। ପ୍ରଜାମାନେ ତାଙ୍କ ପାଖରେ ପହଞ୍ଚତ୍ ପାରୁଥିବେ, ତାଙ୍କୁ ନିଜ ଭଲମନ୍ଦ କହି ଆଶ୍ୱସ୍ତି ଅନୁଭବ କରି ପାରୁଥିବେ। ପ୍ରଜାମାନଙ୍କ ମନରେ ବିଶ୍ୱାସ ରହୁଥିବ ଯେ, ହଁ, ମୁଁ ରାଜାଙ୍କ ପାଖରେ ଥରେ ମୋ ଦୁଃଖଟି ଜଣେଇ ଦେଲେ ତେଣିକି ସେ ନିଶ୍ଚୟ କିଛି ନା କିଛି ମୋ ପାଇଁ ଚିନ୍ତା କରିବେ, ମୋ ଦୁଃଖ ଦୂର କରିବେ। ଏଇ ବିଶ୍ୱାସ ଟିକକ ହିଁ ତ ସଂସାରକୁ ଚଲେଇଚି। ଆମେ କ’ଣ ଜାଣୁ ସତରେ ଭଗବାନ କୋଉଠି ଅଛନ୍ତି, ସେ କେମିତି ଦିଶନ୍ତି, କ’ଣ କରନ୍ତି। ମାତ୍ର ଆମ ମନର ଦୁଃଖ ଟିକକ ତାଙ୍କୁ ଜଣେଇଦେଇ ଆଶ୍ୱସ୍ତ ହଉ ଯେ ଭଗବାନ ଥରେ ମୋ ଦୁଃଖ ଜାଣିଲେ ତେଣିକି ଆଉ ଚିନ୍ତା ନାହିଁ। ସେ ତା’ର ବାଟ ବାହାର କରିବେ। ଈଶ୍ୱର ହୁଅନ୍ତୁ, ରାଜା ହୁଅନ୍ତୁ ବା ଶାସକ ହୁଅନ୍ତୁ ତାଙ୍କ ଉପରେ ସେଇ ପ୍ରକାର ଆସ୍ଥା ଥରେ ଆସିଗଲେ ସେ ପ୍ରଜାଙ୍କ ଦୃଷ୍ଟିରେ ପିତା-ପ୍ରତିମ ଓ ଈଶ୍ୱର-ପ୍ରତିମ ମନେ ହୁଅନ୍ତି। ବାପା ଥିଲା ପୁଅ ଯେମିତି ସଂସାରକୁ ଡରେନା ସେମିତି ଭଲ ରାଜା ବା ଶାସକର ରାଜ୍ୟରେ ପ୍ରଜା ଡରେନା, ଭୟ କରେନା, ଭ୍ରୁକ୍ଷେପ କରେନା। ସେ ଜାଣେ ଯେ ମୋ ରାଜାର ଗୋଟେ ହୃଦୟ ଅଛି। ସେ ନିଶ୍ଚେ ବୁଝିବ ମୋ କଥା। ତାକୁ ନ କହିଲେ ବି ସେ କୋଉଠୁ ନା କୋଉଠୁ ଜାଣିପାରିବ ମୋ ଦୁଃଖ ଓ ତା’ର ନିଦାନର ବ୍ୟବସ୍ଥା କରିବ।
ଉତ୍ତୁଙ୍ଗ ମହଲ ଗଢ଼ିବା, କୋଠାବାଡ଼ି ତୋଳିବା, ରାସ୍ତାଘାଟ ଚଉଡ଼ା କରିବା, କୂଅ ପୋଖରୀ ଖୋଳିବା ରାଜାଙ୍କୁ ପ୍ରଜାଙ୍କର ଯେତିକି ନିକଟତର କରାଏ, ତାଠୁ ବେଶି ନିକଟତର କରାଏ ରାଜାଙ୍କର ବିନୟୀ ଭାବ, ପ୍ରଜାଙ୍କ ସହ ଏକାତ୍ମ ହେବାର ସଂକଳ୍ପ ଓ ପ୍ରଜାଙ୍କର ଭଲମନ୍ଦ ଚିନ୍ତା କରୁଥିବାର ପ୍ରତ୍ୟୟ। ସେଥିପାଇଁ କୁହାଯାଏ ଆପଣ ଜଣେ ଲୋକଙ୍କୁ ଯଦି କିଛି ଆର୍ଥତ୍କ ବା ଭୌତିକ ସାହାଯ୍ୟ କରିଥିବେ ସେ ଟଙ୍କା କିମ୍ବା ପଦାର୍ଥ ଦିନେ ନା ଦିନେ ସରିଯିବ, ମାତ୍ର ଆପଣ ଦିନେ ତାକୁ ଅସୁବିଧା ବେଳେ ସାହାଯ୍ୟ କରିଥିଲେ ଏ ଅନୁଭବ ଟିକକ ନିଶ୍ଚୟ ତା’ ମନଭିତରେ କାଳକାଳକୁ ରହିଯିବ। ପ୍ରଜାଙ୍କଠାରୁ କର ଆଦାୟ କରି କେହି ରାଜା କେବେ ମହାନ୍‌ ହୋଇନାହିଁ, ବରଂ ପ୍ରଜାଙ୍କୁ ସେ କେତେ ଅମୃତ ଅନୁଭବ ଦେଇଛନ୍ତି ତାରି ଭିତରେ ତାଙ୍କ ଅମରତ୍ୱର ଗାଥା ରଚିତ ହୁଏ। ଯେଉଁ ରାଜା ବା ଶାସକ ଏଇ କଥାଟିକୁ ଯେତେ ଧ୍ୟେୟ କରି କାର୍ଯ୍ୟକରିଛନ୍ତି ସେ ଜନମାନସରେ ସେତେ ଆଦୃତ ହୋଇଛନ୍ତି। ରାଜ୍ୟର ରାଜା ପଦରୁ ଉନ୍ନୀତ ହେଇ ହୃଦୟର ରାଜା ପଦରେ ଅଧିଷ୍ଠିତ ହୋଇଛନ୍ତି। ଯେଉଁଠି ଥରେ ଅଧିଷ୍ଠିତ ହେଲେ ଆଉ ସିଂହାସନ ଅବରୋହଣର ସମ୍ଭାବନା ନ ଥାଏ। ସେଇଭଳି ରାଜାମାନେ ରାଜା ହେଇ ଋଷିଙ୍କ ଭଳି ଚଳିଥାନ୍ତି। ଋଷି ହୋଇ ମଧ୍ୟ ରାଜାଙ୍କ ଭଳି ପ୍ରଜାପାଳନ କରିଥାନ୍ତି। ସେମାନେ ରାଜର୍ଷି। କେବେ ସେମାନେ ଅସ୍ତ୍ର ଧରିଛନ୍ତି ତ କେବେ ଶାସ୍ତ୍ର। କେବେ ସ୍ବତ୍ୱ ପାଇଁ ଲଢ଼ିଥାନ୍ତି ତ କେବେ ତତ୍ତ୍ୱ ପାଇଁ। ସେମାନେ ଅମରତ୍ୱ ପାଇଛନ୍ତି, ଅବିନଶ୍ୱର ଈଶ୍ୱର ଭଳି କାଳେକାଳେ ଯୁଗେଯୁଗେ ପୂଜିତ ହୋଇଛନ୍ତି।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ-୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri