ରାଜସ୍ବ ଗ୍ରାମ ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ପଞ୍ଚାୟତ ବିରିଡିହି ଗ୍ରାମକୁ ରାଜସ୍ବ ଗ୍ରାମ ପ୍ରଦାନ ଦାବି କରାଯାଇଛି। ଏ ନେଇ ଗ୍ରାମବାସୀ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ବିରିଡିହି ଏକ ପଡ଼ାଗ୍ରାମ ହୋଇଥିବା ବେଳେ ଏହା ରାଣୀପଡ଼ା ରାଜସ୍ବ ଗ୍ରାମ ଅଧୀନରେ ରହିଛି। ବିରିଡିହି ଗ୍ରାମରେ ରାଜସ୍ବ ଗ୍ରାମ ପାଇଁ ସମସ୍ତ ଯୋଗ୍ୟତା ରହିଛି। ତେଣୁ ଏହାକୁ ରାଜସ୍ବ ଗ୍ରାମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ବିରିଡିହି ଗ୍ରାମର ୩ ୱାର୍ଡରେ ୮୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଗ୍ରାମରେ ଶିକ୍ଷା ପାଇଁ ଏକ ବିଦ୍ୟାଳୟ ଥିବା ବେଳେ ସେଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ପଢ଼ୁଛନ୍ତି। ସେହିଭଳି ସ୍ବାସ୍ଥ୍ୟସେବା ଲାଗି ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ରହିଛି। ଏତେସବୁ ସୁବିଧା ସତ୍ତ୍ୱେ ବିରିଡିହି ପଡ଼ା ଭାବେ ରହିଆସିଅଛି। ରାଜସ୍ବ ଗ୍ରାମ ହୋଇ ନ ଥିବାରୁ ପଞ୍ଚାୟତସ୍ତରରେ ହେଉଥିବା ପଲ୍ଲିସଭା ରାଣୀପଡ଼ା ଗ୍ରାମରେ ହେଉଛି। ତେଣୁ ବିରିଡିହି ଗ୍ରାମର ଉନ୍ନୟନ କାର୍ଯ୍ୟଗୁଡ଼ିକ ଠିକ୍‌ ଭାବେ ଉପସ୍ଥାପନ ହୋଇପାରୁନାହିଁ। ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଗାଁ କଲ୍ୟାଣ ସମିତି ରହିଥିବା ବେଳେ ବିରିଡିହି ପଡ଼ା ଗ୍ରାମ ହେଉଥିବାରୁ ଗାଁ କଲ୍ୟାଣ ସମିତିରୁ ବଞ୍ଚତ୍ତ ହୋଇଛି। ସେହିଭଳି ବିଭିନ୍ନ ସମୟରେ ଛାତ୍ରୀଛାତ୍ର ବାସିନ୍ଦା ପ୍ରମାଣପତ୍ର ପାଇଁ ଆର୍‌ଆଇ କାର୍ଯ୍ୟାଳୟରେ ଆବେଦନ କଲାବେଳେ ରାଜସ୍ବ ଗ୍ରାମ ରାଣୀପଡ଼ା ରହୁଛି। ଫଳରେ ଅନେକ ସମୟରେ ସମସ୍ୟା ଦେଖାଦେଉଛି। ରାଜସ୍ବ ଗ୍ରାମ ହୋଇ ନ ଥିବାରୁ ବନ୍ୟା ସମୟରେ ନିକଟସ୍ଥ କୁସୁମୀ ନଦୀର ପାଣି ଜମିରେ ପଶି କ୍ଷତି କରୁଥିଲେ ମଧ୍ୟ ସେମାନଙ୍କୁ ସରକାରୀ ସହାୟତା ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କିଛି ଅଧିକାରୀ ଉକ୍ତ ଗ୍ରାମକୁ ରାଜସ୍ବ ଗ୍ରାମ କରାଇ ନ ଦେବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିଥିବା ବିଶେଷ ସୂତ୍ରରୁ ଖବର ପାଇ ବୁଧବାର ଗ୍ରାମବାସୀ ଜିଲାପାଳଙ୍କୁ ଭେଟିବାକୁ ଆସିଥିଲେ। ୭ ଦିନ ଭିତରେ ଏହାର ତଦନ୍ତ କରି ବିରିଡିହି ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା କରିବା ଲାଗି ବିଭାଗକୁ ସୁପାରିସ କରିବା ପାଇଁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ଯଦି ବିରିଡିହି ଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରା ନ ଯାଏ ତାହା ହେଲେ ଆସନ୍ତା ୨୬ ତାରିଖରେ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମ ସଭାପତି ବନବାସ ବେହେରା, ପ୍ରଦୀପ କୁମାର ନାୟକ, ହରିହର ପଣ୍ଡାଙ୍କ ସମେତ ଏକାଧିକ ଗ୍ରାମବାସୀ ଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ। ଜିଲାପାଳ ଡ. ପୋମା ଟୁଡ଼ୁ ଅଭିଯୋଗ ପତ୍ର ରଖିଥିବା ବେଳେ ଏ ଦିଗରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।