ରାଜନୀତି ମାନବଧର୍ମୀ ହେବା ଜରୁରୀ : ଶଙ୍କରାଚାର୍ଯ୍ୟ

ଭୋଗରାଇ, ୨୧।୧୦(ଡି.ଏନ.ଏ.)-ଦିଶାହୀନ ରାଜନୀତି ଆମ ଦେଶକୁ କଳୁଷିତ କରୁଛି। ଅତ୍ୟାଧୁନିକ ଯୁଗରେ ଶାସନତନ୍ତ୍ର ବିଶ୍ୱସ୍ତ ଓ କ୍ରିୟାଶୀଳ ହେବାରେ ସକ୍ଷମ ହେଉନାହିଁ। ଯାହାକି ଆମ ସଂସ୍କୃତି ଉପରେ କୁଠାରଘାତ ସଦୃଶ। ରାଜନୀତି ବିକାଶ ଦିଗରେ କ୍ରିୟାଶୀଳ ସହ ମାନବଧର୍ମୀ ହେବା ଆବଶ୍ୟକ ବୋଲି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମତବ୍ୟକ୍ତ କରିଛନ୍ତି। ବାଲେଶ୍ୱର ଜିଲା ଭୋଗରାଇ ଥାନାଛକ ହେଲିପ୍ୟାଡ୍‌ ପଡ଼ିଆରେ ରବିବାର ସନ୍ଧ୍ୟାରେ ଭାରତ ଜାଗୃତି ମହାଯଜ୍ଞ ସମିତି ପକ୍ଷରୁ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଅବସରରେ ଯୋଗଦେଇ ଶଙ୍କରାଚାର୍ଯ୍ୟ ଏହି ସନ୍ଦେଶ ଦେଇଛନ୍ତି।
ପୂର୍ବାହ୍ନରେ ଶଙ୍କରାଚାର୍ଯ୍ୟ ନନ୍ଦନକାନନ ଏକ୍ସପ୍ରେସ୍‌ରେ ଜଳେଶ୍ୱର ଷ୍ଟେଶନରେ ଓହ୍ଲାଇବା ପରେ ବହୁ ଶ୍ରଦ୍ଧାଳୁ ପାରମ୍ପରିକ ଭାବେ ଶଙ୍ଖ, ହୁଳୁହଳି ପକାଇ ସ୍ବାଗତ କରିଥିଲେ। ଅପରାହ୍ନରେ ଉଦ୍‌ପଦା ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ସେ ଦର୍ଶନ ଓ ପୂଜା ପାଠ ପରେ ଯଜ୍ଞକୁଣ୍ଡରେ ବେଦମନ୍ତ୍ର ସହ ପୂର୍ଣ୍ଣାହୁତି ଦେଇଥିଲେ। ପରେ ଆଧ୍ୟାମତ୍ିକ ସମାବେଶରେ ଯୋଗଦେଇ ଶ୍ରଦ୍ଧାଳୁଙ୍କୁ ଉଦ୍‌ବୋଧନ ଦେଇଥିଲେ। ଯଜ୍ଞର ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ପୂର୍ବତନ ଏମ୍‌ପି ଡ. କାର୍ତ୍ତିକେଶ୍ୱର ପାତ୍ର, ଦେବଭାଷା ପରିଷଦର ସଭାପତି ଡ. ସତୀଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଆଦିତ୍ୟ ବାହିନୀ ପକ୍ଷରୁ ସତ୍ୟରଞ୍ଜନ ଦାସ, ମଧୁସୂଦନ ଗଡ଼ନାୟକ, ରଘୁନାଥ ମହନ୍ତ, ମହେଶ କୁମାର ସାହୁ, ସୌରୀରଞ୍ଜନ ପଣ୍ଡା, କୁମାର ସତ୍ୟଜିତ୍‌ ବେଜ ପ୍ରମୁଖ ପରିଚାଳନା କରିଥିଲେ। ୩ ଦିନ ବ୍ୟାପୀ ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ବହୁ ପଣ୍ଡିତ, ସାଧୁ, ସନ୍ଥ ଓ ଅସଂଖ୍ୟ ଶ୍ରଦ୍ଧାଳୁ ଯୋଗଦେଇଥିଲେ।