ରାଜଧାନୀରେ କରୋନା ରୋଗୀ ଚିହ୍ନଟ ଗୁଜବ ମିଥ୍ୟା: ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର, ୧୯ା୨(ବ୍ୟୁରୋ): ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଜଣେ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହା ଏକ ଗୁଜବ ଥିଲା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ହେଲେ ବିଜୟ କୁମାର ନାୟକ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ବ୍ୟକ୍ତିଙ୍କଠାରେ କମନ୍‌ କରୋନା ଭାଇରସ୍‌ ଚିହ୍ନଟ ହୋଇଛି। ତେବେ ଏହା ନୋଭେଲ କରୋନା କିମ୍ବା କୋଭିଡ୍‌ ୧୯ ନୁହେଁ। ସାଧାରଣତଃ କମନ୍‌ କରୋନା ସାଧାରଣତଃ ନିମୋନିଆରେ ଦେଖାଦେଇଥାଏ। ତେବେ ଚାଇନାରେ ଆତଙ୍କ ଖେଳାଇଥିବା ନୋଭେଲ୍‌ କରୋନା ବା କୋଭିଡ୍‌ ୧୯ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏଣୁ ଭାଇରାଲ ଖବରକୁ ନେଇ ଲୋକେ ଆତଙ୍କିତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଅନ୍ୟପଟେ ଉକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। କରୋନାରେ ଆକ୍ରାନ୍ତ ସନ୍ଦେହ କରାଯାଉଥିବା ବିଜୟ ନିମୋନିଆରେ ପୀଡ଼ିତ ଅଛନ୍ତି। ସେ ନୋଭେଲ୍‌ କରୋନା ବା କୋଭିଡ୍‌ ୧୯ରେ ଆକ୍ରାନ୍ତ ନୁହଁନ୍ତି ବୋଲି ହସ୍ପିଟାଲ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।