ରାଜଧାନୀକୁ ଟପିଲା ଯାଜପୁର: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା, ଆଜି ଗୋଟିଏ ଦିନରେ ୮ ଚିହ୍ନଟ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଶନିବାର ସକାଳେ ଯାଜପୁର ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ବରୀ ବ୍ଲକ ଅଞ୍ଚଳରେ। ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୨ ବର୍ଷ। ସେ କୋଲକାତାରୁ ଫେରିଥିଲେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଥିବା ବେଳେ କେବଳ ଯାଜପୁରରେ ୪୮ ଜଣ ଚିହ୍ନଟ ହୋଇଛନ୍ତି। ଯାହାକି ରାଜଧାନୀ ଭୁବନେଶ୍ୱରର ଆକ୍ରାନ୍ତଙ୍କ ସଂଖ୍ୟାକୁ ଟପିଯାଇଛି। ଅର୍ଥାତ୍‌ ଭୁବନେଶ୍ୱରରେ ୪୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଅପରାହ୍ନରେ ଚିହ୍ନଟ ହୋଇଥିବା ରୋଗୀଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିଲା। ପରେ ରକ୍ତ ଓ ସ୍ବାବ୍‌ ପରୀକ୍ଷାରୁ ପଜିଟିଭ୍‌ ବାହାରିଥିଲା। ଏବେ ଯାଜପୁର ଜିଲା ରେଡ୍‌ ଜୋନ୍‌ରେ ରହିଛି।
ଶନିବାର ସୁଦ୍ଧା ରାଜ୍ୟରେ ୧୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେବଳ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୧୦୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।