Categories: ରାଜ୍ୟ

ରାଜତନ୍ତ୍ର ନ ଥିଲେ ବି ଲୋକଙ୍କ କାମ କରିବି

ପାରଳା ରାଜବଂଶର ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ନିକଟରେ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାୟାଦ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ଘଟିବା ପରେ ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ରାଜ୍ୟାଭିଷେକ ହୋଇଛି। ପାରଳା ରାଜବଂଶରେ ପ୍ରଥମ କନ୍ୟା ସନ୍ତାନ ଭାବେ ରାଜ ସିଂହାସନ ଆରୋହଣ କରି ନୂତନ ଇତିହାସ ରଚିଛନ୍ତି ରାଜକୁମାରୀ କଲ୍ୟାଣୀ ଦେବୀ। ଚେନ୍ନାଇରୁ ସ୍କୁଲ ଓ ବେଙ୍ଗାଲୁରୁରୁ କଲେଜ ଶିକ୍ଷା ନେଇଥିବା ରାଜକୁମାରୀ ଅବିବାହିତ ଅଟନ୍ତି। ରାଜ୍ୟାଭିଷେକ ପରେ ତାଙ୍କୁ ସାକ୍ଷାତ କରିଥିଲେ ଆମ ଗଜପତି ଜିଲା ‘ଧରିତ୍ରୀ’ ପ୍ରତିନିଧି।

ପାରଳା ରାଜ ସିଂହାସନରେ ବସିଛନ୍ତି, ଦାୟିତ୍ୱ କ’ଣ ରହିବ?
ନିଶ୍ଚିତ ଭାବେ ସାଧାରଣ ଲୋକଙ୍କ ପାଇଁ ଗୁରୁ ଦାୟିତ୍ୱ ରହିବ। ଯଦିଓ ବର୍ତ୍ତମାନ ସମୟରେ ରାଜତନ୍ତ୍ର ନାହିଁ, ତଥାପି ସେମାନଙ୍କ ପାଇଁ ସବୁ ସମୟରେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବି।
ଆଗକୁ ପାରଳା ମାଟିରେ ରହି ଲୋକଙ୍କ କଥା ବୁଝିବେ ନା’ ଚେନ୍ନାଇ ଚାଲିଯିବେ?
ମୁଁ ଏବେ ପାରଳାଖେମୁଣ୍ଡିରେ ଅଛି। ମଝିରେ ମଝିରେ ଚେନ୍ନାଇ ଗଲେ ମଧ୍ୟ ଅଧିକ ସମୟ ପାରଳାଖେମୁଣ୍ଡିରେ ରହିବି।
ରାଜ ପରିବାର ପ୍ରତି ଥିବା ଲୋକଙ୍କ ସମର୍ଥନ ଭୋଟରେ ପରିଣତ ହେଲା ନାହିଁ କାହିଁକି?
ନିର୍ବାଚନ ପୂର୍ବରୁ ଖୁବ୍‌ କମ୍‌ ସମୟ ପାଇଥିଲି। ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ପାରଳା ମାଟି ପାଇଁ ମୁଁ ନୂଆ ମଧ୍ୟ ଥିଲି। ଏପରି କି ମୋତେ ଓଡ଼ିଆ ଜଣାନାହିଁ ବୋଲି ମିଥ୍ୟା ପ୍ରଚାର ଚାଲିଲା। ଦଳୀୟ ଭୋଟ ଭାଗ ହୋଇଯିବା ମଧ୍ୟ ମୋ ପରାଜୟର ବଡ଼ କାରଣ।
ଆଗକୁ ସକ୍ରିୟ ରାଜନୀତିରେ ରହିବେ ନା’ ଆଉ କିଛି ଚିନ୍ତା କରିଛନ୍ତି?
ବର୍ତ୍ତମାନ ରାଜନୀତିରେ ଅଛି ଏବଂ ବିଜେଡିରେ ରହିଛି। ହେଲେ ଆଗାମୀ ନିର୍ବାଚନ ରାଜନୀତି କଥା କହିହେବ ନାହିଁ। ସେତେବେଳର ପରିସ୍ଥିତି କ’ଣ ଥିବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ।
ରାଜ ପରିବାର ବିବାଦ ଓ ରାଜା ଅମଳର ଜଗନ୍ନାଥ ମନ୍ଦିର ପୁନଃନିର୍ମାଣ ବିଷୟରେ କ’ଣ କହିବେ?
ଏବେକା ପରିସ୍ଥିତିରେ ସେ ବିଷୟରେ ତଥ୍ୟ ରଖିବା ଉଚିତ ହେବନାହିଁ।
– ରିପୋର୍ଟ: ରଶ୍ମିରଞ୍ଜନ ମିଶ୍ର