ରାଉରକେଲା ଏସ୍‌ପିଙ୍କ ନାମରେ ଫେସବୁକ୍‌ରେ ଫେକ୍‌ ଆଇଡି ଖୋଲି ବନ୍ଧା ହେଲେ ନାବାଳକ

ରାଉରକେଲା ଅଫିସ,୧୬।୬: ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀଙ୍କ ନାମରେ ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଲୋକଙ୍କୁ ବ୍ଲାକମେଲିଂ କରିବା ଜଣେ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ମଙ୍ଗଳବାର ଉଦିତନଗର ପୁଲିସ ଗିରଫ କରିଛି। ଗିରଫ ନାବାଳକଙ୍କ ଘର ବଲାଙ୍ଗୀର ଜିଲାରେ ବୋଲି ପୋଲିସ କହିଛି। ନାବାଳକଜଣଙ୍କ ୪ରୁ ୫ ଦିନ ତଳେ ଏସ୍‌ପି ସୁବ୍ରମଣୀଙ୍କ ନାଁରେ ଫେସ୍‌ବୁକ୍‌ରେ ନକଲି ଆଇଡି ଖୋଲିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଉକ୍ତ ନାବାଳକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ସୂଚନାଯୋଗ୍ୟ, ଗତ ଦେଢ ବର୍ଷ ପୂର୍ବେ ସମ୍ବଲପୁରର ପୂର୍ବତନ ଜିଲାପାଳ ଶୁଭମ ସକ୍ସେନା, ସମ୍ବଲପୁର ପୂର୍ବତନ ଏସ୍‌ପି ସଞ୍ଜୀବ ଆରୋରା ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ଫେକ୍‌ ଆଇଡି ଖୋଲି ସମ୍ପୃକ୍ତ ନାବାଳକ ସମ୍ବଲପୁର ସହରର ଲୋକଙ୍କୁ ଠକୁଥିଲେ। ତାଙ୍କ ଘର ବଲାଙ୍ଗୀରରେ ହୋଇଥିଲେ ବି ସେ କିଛି ଦିନ ସମ୍ବଲପୁରରେ ରହିଥିଲେ। ଏହି ସମୟରେ ସେ ଜିଲାପାଳ, ଏସ୍‌ପି ଓ ବିଧାୟକଙ୍କ ନାଁରେ ଫେକ୍‌ ଆଇଡି ଖୋଲିଥିଲେ। ଏହାଛଡ଼ା ପୂର୍ବରୁ ମଧ୍ୟ ନାବାଳକଜଣଙ୍କ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁରେ ଫେକ ଆଇଡି ଖୋଲି ଜଣେ ଶିଳ୍ପପତିଙ୍କ ଆକାଉଣ୍ଟରୁ ପନ୍ଦର କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ। ଏହି ଟଙ୍କାରେ ସେ ଏକ ଅଡି କାର କିଣିଥିଲେ। ପୋଲିସ ନାବାଳକକୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇଥିଲେ। ସେଠାରୁ ବାହାରିବା ପରେ ସେ ପୁଣି ସେଭଳି କାମ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।