ରାଇଘର ନାବାଳିକା ନିଖୋଜ ଘଟଣା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ; ପୋଲିସର ତଦନ୍ତ ଆରମ୍ଭ

ରାଇଘର,୭।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମର ଦୁଇଜଣ ନାବାଳିକା ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ତିନିଦିନ ଧରି ଗ୍ରାମବାସୀ ଓ କୁନ୍ଦେଇ ପୋଲିସ ଉକ୍ତ ଗ୍ରାମ ସହ ଆଖପାଖ ଗ୍ରାମଗୁଡ଼ିକରେ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କର ପତ୍ତା ମିଳିପାରି ନ ଥିଲା। ହେଲେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଗୋଟିଏ ଝିଅର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ଉକ୍ତ କୂଅ ନାବାଳିକାଙ୍କ ଘରଠାରୁ ପ୍ରାୟ ୨ଶହ ମିଟର ଦୂରରେ ରହିଥିବା ବେଳେ ରାତି ହୋଇଯାଇଥିବାରୁ ଶୁକ୍ରବାର ସକାଳେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସେଥିରୁ ଦୁଇଟି ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। ତେବେ ବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିବା ସହ ତଦନ୍ତ ଆରମ୍ଭ କରିଛି।