ରହସ୍ୟ ଘେରରେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୪।୮(ବ୍ୟୁରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ରହସ୍ୟ ଘେରକୁ ଚାଲିଯାଇଛି। ପୀଡିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ଉପରୁ ପରଦା ହଟାଇବା ପାଇଁ ଆହୁରି ତଦନ୍ତର ଆବଶ୍ୟକତା ରହିଛି। ଏହି ଘଟଣାର ତଦନ୍ତ କରୁଥିବା କମିଶନ ରାଜ୍ୟ ସରକାରଙ୍କୁ ଏଭଳି ରିପୋର୍ଟ ଦେଇଛନ୍ତି। ଶନିବାର ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଅପହରଣ ଓ ଗଣବଳାତ୍କାର ଘଟଣାର ତଦନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି। ପୀଡିତାଙ୍କ ପରିଚୟ ଗୋପନ ରହିବା ସହ ତଦନ୍ତ ଶେଷ ନ ହେବା ଯାଏ ଏହାର ଅଗ୍ରଗତି ସମ୍ପର୍କରେ ଗଣମାଧ୍ୟମରେ ନ କହିବାକୁ ପୋଲିସ ଓ ତଦନ୍ତକାରୀ ସଂସ୍ଥାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୁନ୍ଦୁଲି ଛକରୁ ପୀଡିତାଙ୍କ ପ୍ରତିମୂର୍ତ୍ତି ହଟାଇବାକୁ କମିଶନଙ୍କ ପକ୍ଷରୁ କରାଯାଇଥିବା ସୁପାରିସକୁ ସରକାର ଅଗ୍ରାହ୍ୟ କରି ଦେଇଛନ୍ତି। କମିଶନ କରିଥିବା ସୁପାରିସ ଅନୁଯାୟୀ ପୀଡିତାଙ୍କ କୌଣସି ବିଷୟ ଯେପରି ପ୍ରଘଟ ନ ହେବ ତଦନ୍ତ କରୁଥିବା ସମସ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ପୋଲିସ ମୁଖ୍ୟାଳୟକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। କମିଶନ ତଦନ୍ତ ସାରି ତାଙ୍କ ରିପୋର୍ଟ ୨୦୧୮ ସେପ୍ଟେମ୍ବର ୨୦ ତାରିଖରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଏହାକୁ ପରୀକ୍ଷାନିରୀକ୍ଷା କରିବା ପରେ କମିଶନଙ୍କ କେବଳ ମୂର୍ତ୍ତି ହଟାଇବା ସୁପାରିସକୁ ସରକାର ଅଗ୍ରାହ୍ୟ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୨୦୧୭ ଅକ୍ଟୋବରରେ କୁନ୍ଦୁଲି ଗଣବଳାତ୍କାର ମାମଲା ପଦାକୁ ଆସିଥିଲା। ଜଙ୍ଗଲ ବାଟ ଦେଇ ଫେରିବା ବେଳେ ୪ ଜଣ ସୁରକ୍ଷା କର୍ମୀ ତାଙ୍କୁ ଗଣବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟରେ ତୁମ୍ବିତୋଫାନ ହୋଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ବିରୋଧୀ ଦଳଗୁଡିକ ସରକାରଙ୍କୁ ଉଭୟ ବିଧାନସଭା ଓ ବିଧାନସଭା ବାହାରେ ଘେରିଥିଲେ। ରାଜ୍ୟ ସରକାର ୨୦୧୭ ଡିସେମ୍ବର ୨୬ ତାରିଖରେ ଏହି ଘଟଣାର ତଦନ୍ତ କରିବାକୁ କୋରାପୁଟ ଜିଲା ଜଜ୍‌ଙ୍କୁ ନିଯୁକ୍ତ କରିଥିଲେ। ୧୦ ମାସ ମଧ୍ୟରେ କମିଶନ ତାଙ୍କର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଶେଷରେ ପୀଡିତା ୨୦୧୮ ଜାନୁୟାରୀ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ।