Categories: କଟକ

ରମଜାନ ମାସରେ ଖାଦ୍ୟ ବାଣ୍ଟୁଛନ୍ତି ୨୦ ମୁସ୍‌ଲିମ୍‌ ଯୁବକ

କଟକ ଅଫିସ,୩୦ା୪: ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ମାସ ରମ୍‌ଜାନ୍‌। ଏହି ମାସଟିକୁ ସେମାନେ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ଦାନ ଓ ପୂଣ୍ୟ ମାସ ରମଜାନ। ନିଷ୍ଠାର ସହ ଉପବାସ ବ୍ରତ ପାଳନ କରି ଆଲ୍ଲାଙ୍କୁ ପ୍ରାର୍ଥନା କରାଯାଇଥାଏ। ସୂର୍ଯ୍ୟୋଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଆହାର ଗ୍ରହଣ କରି ବ୍ରତ ପାଳନ ନିୟମ ରହିଥାଏ। ଅନ୍ୟପକ୍ଷରେ ରମଜାନ ମାସରେ ଦାନ କଲେ ଆଲ୍ଲା ମଣିଷର ପାପ କ୍ଷୟ କରନ୍ତି ଏବଂ ତାଙ୍କୁ କ୍ଷମା ପ୍ରଦାନ କରନ୍ତି ବୋଲି ମୁସଲିମ ସମ୍ପ୍ରଦାୟର ଲୋକେ ବିଶ୍ୱାସ କରନ୍ତି। କୁହାଯାଏ ଅନ୍ନ ଦାନ ମହାପୂଣ୍ୟ। ତେଣୁ ରମ୍‌ଜାନ୍‌ ମାସରେ ପୂଣ୍ୟ ଅର୍ଜନ ପାଇଁ ଲୋକଙ୍କୁ ଅନ୍ନଦାନ କରୁଛନ୍ତି କଟକ ଓଡିଆ ବଜାର ଅଞ୍ଚଳର ୨୦ ଯୁବକ। ଏମାନେ କଟକ ମୁସଲିମ ୟୁଥ ଆସୋସିଏଶନ ନାମକ ସଙ୍ଗଠନ ଗଠନ କରି ପ୍ରତ୍ୟେକ ସାହିବସ୍ତିର ଅସହାୟ ଲୋକଙ୍କ ଘରକୁ ଯାଇ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି। ସମସ୍ତ ଯୁବକ କଟକ ମୁସଲିମ ୟୁଥ ଆସୋସିଏଶନ ନାମକ ଏକ ସଙ୍ଗଠନ ଗଠନ କରି ଲୋକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଏହି କାର୍ଯ୍ୟ ପାଇଁ ସେମାନେ କାହା ପାଖରୁ ଆର୍ଥିକ ସହାୟତା ନେଉନାହାନ୍ତି। ନିଜ ରୋଜଗାରର କିଛି ଅଂଶ ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସାକିବ ଖାନ, ରହିଲ ଅହମ୍ମଦ, ସମର ରାଜା, ସୟଦ ଅସିଫ ଅଲ୍ଲୀ, ବସିର ଅହମ୍ମଦ, ଦାନିସ ମୁର୍ତ୍ତଜା, ଅମ୍ବର ରାଜା, ଏସ୍‌.କେ. ଅଲ୍ଲୀ, ଏମ୍‌.ଡି ଆରିଫ, ଅବଦୁଲ କ୍ବାଦିର, ଏମ୍‌.ଡି. ମେହେରାଜ ପ୍ରମୁଖ ସାମିଲ ଅଛନ୍ତି।