ରବି ଧାନ ବିକ୍ରି, ୧୯ରୁ ଖୋଲିବ ମଣ୍ଡି

ବୌଦ୍ଧ,୭ା୫(ସ୍ବ.ପ୍ର.)-ରବି ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୯ରୁ ମଣ୍ଡି ଖୋଲିବ ବୋଲି ବୁଧବାର ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାରେ ୨୫ଟି ମଣ୍ଡି ଖୋଲିବ। ୨ ଲକ୍ଷ କୁଇଣ୍ଟାଲ ରବି ଧାନକ୍ରୟ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସମୁଦାୟ ୩୩୦୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକୃତ କରିଛନ୍ତି । ଜୁନ ୩୦ ପର୍ଯ୍ୟନ୍ତ ମଣ୍ଡି ଖୋଲା ରଖିବାକୁ ନିଷ୍ପତି ହୋଇଛି। ଦୈନିକ ୫ ରୁ ୧୦ ଜଣ ଚାଷୀଙ୍କ ଠାରୁ ୧୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ କିଣାଯିବ ବୋଲି ସ୍ଥିର କରାଯାଇଛି।
କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ମଣ୍ଡିରେ ସାମାଜିକ ଦୂରତା ନିୟମ ପାଳନ କରାଯିବା ସହିତ ଚାଷୀ ଓ ମଣ୍ଡି କର୍ମଚାରୀମାନେ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଧାନମଣ୍ଡିରେ ଚାଷୀଙ୍କ ପାଇଁ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି । ଉକ୍ତ ବୈଠକରେ ବିଧାୟକଙ୍କ ପ୍ରତିନିଧି ଧୂରୀଣ କୁମାର ଦେହୁରୀ, ଉପଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ,ଜିଲା ଯେଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ,ସମବାୟ ସମିତି ଉପନିବନ୍ଧକ ଭୀମସେନ ସାହୁ, ମିଲର୍ସ ଆସୋସିଏଶନ ସଭାପତି ଅଶୋକ କୁମାର ଅଗ୍ରୱଲାଙ୍କ ସମେତ ଜିଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।