ରବିଧାନ ପାଇଁ ୧୦ରୁ ଖୋଲିବ ମଣ୍ଡି: ସାମାଜିକ ଦୂରତା, ସାନିଟାଇଜର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ

ରାୟଗଡ଼ା ଅଫିସ,୨୭ା୪: ରାୟଗଡ଼ା ଜିଲାରେ ପୂର୍ବରୁ ୧୩ଟି ମଣ୍ଡିରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ଏଥର ୪ଟି ଅଧିକ ମଣ୍ଡି ଖୋଲାଯିବ। ସେହି ୪ଟି ନୂଆ ମଣ୍ଡିଗୁଡ଼ିକ ହେଲା ରାମନାଗୁଡ଼ା ବ୍ଲକ ଗୁମୁଡ଼ା, ବିଷମକଟକ ବ୍ଲକ ଗଜମହଲ, ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି, ପଦ୍ମପୁର ବ୍ଲକ ଗୁଡ଼ିଆବନ୍ଧ। ଆସନ୍ତା ୧୦ ତାରିଖରୁ ମଣ୍ଡି ଆରମ୍ଭ ହେବ। ରାୟଗଡ଼ା ଜିଲାରେ ରବି ଋତୁରେ ଧାନ ସଂଗ୍ରହ ପାଇଁ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ସୋମବାର ବସିଥିବା ଜିଲାସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ବିଗତ ବର୍ଷ ୧୪୭୪ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଥିଲେ। ସେଥିରୁ ୮୩୩ ଜଣ ଧାନ ବିକ୍ରି କରିଥିଲେ। ୭୪,୮୦୫ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ରବିଋତୁରେ ବର୍ତ୍ତମାନ ସୁଦ୍ଧା ୨,୨୨୧ ଜଣ ଚାଷୀ ଜିଲାରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫୨,୨୩୯ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସାରା ବିଶ୍ୱରେ ବର୍ତ୍ତମାନ କୋଭିଡ୍‌-୧୯ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ ହେବ ବୋଲି ଜିଲାପାଳ କହିଛନ୍ତି। ସକାଳ ୬ରୁ ଦିନ ୧୨ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ। ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେହେରା, ସହକାରୀ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ରଥ, ମିଲର୍ସ ସଂଘ ସଭାପତି କାଶୀ ନାଇଡୁ, ସମସ୍ତ ଲ୍ୟାମ୍ପ ପରିଚାଳକ ଉପସ୍ଥିତ ଥିଲେ।