ବଢ଼ିଲା ରଥଯାତ୍ରା ସମ୍ଭାବନା: ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି

ପୁରୀ ଅଫିସ, ୧୬।୬: ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ ନା ନାହିଁ ଏହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଆସନ୍ତା ୨୩ ତାରିଖରେ ରଥଯାତ୍ରା। ମଝିିରେ ଆଉ ମାତ୍ର ୬ ଦିନ ରହିଥିବା ବେଳେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ କିଛି ସ୍ପଷ୍ଟ କରିନାହାନ୍ତି। ଘୋଷଯାତ୍ରାକୁ ନେଇ ଏମିତି ଅନିଶ୍ଚିତତା ଲାଗି ରହିଥିବା ବେଳେ ମଙ୍ଗଳବାର ଆଉ ଟିକେ ସମ୍ଭାବନା ବଢ଼ିଛି। ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ପ୍ରଦାନ କରିଛି । ଏ ସମ୍ପର୍କରେ ଦେଉଳ ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର ସିଧାସଳଖ କିଛି ପ୍ରତିକ୍ରିୟା ରଖି ନ ଥିବାବେଳେ ଏବେ ଶ୍ରୋତର ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲିଛି। ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ହେଉ ଆମେ ସମସ୍ତେ ଆଶା କରିବା ବୋଲି ଗଣମାଧ୍ୟମକୁ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦେଉଳ ପୁରୋହିତଙ୍କୁ ରଥ ପ୍ରତିଷ୍ଠା ଲାଗି ପ୍ରସ୍ତୁତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୌଖିକ ଭାବେ କୁହାଯାଇଛି।