ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦଶପଲ୍ଲା,୨୦ା୧୨(ଡି.ଏନ୍‌.ଏ.): ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଚଳିତବର୍ଷ ଦଶପଲ୍ଲା ବନାଞ୍ଚଳରେ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଦଶପଲ୍ଲା ବ୍ଲକର ସାକେଣୀ ଫରେଷ୍ଟ ସେକ୍‌ସନରେ ପ୍ରଥମେ ଏହି କାର୍ଯ୍ୟକ୍ରମ କରାଯାଇଛି। କାର୍ଯ୍ୟକ୍ରମରେ ସାକେଣୀ ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଫରେଷ୍ଟ ଗାର୍ଡ ନାରାୟଣ ମହାରଣାଙ୍କ ସମେତ ଦଶପଲ୍ଲା ବନ ବିଭାଗ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ଥାନୀୟ ସାକେଣୀ, ପେହେଲାଜୁ, ପୋଲରା ଅଞ୍ଚଳର ଜନସାଧାରଣ ସାମିଲ ହୋଇଥିଲେ। ବିଭିନ୍ନ ଅଞ୍ଚଳ ବୁଲିବା ପରେ ରଥକାଠ ଚିହ୍ନଟ ହୋଇଥିଲେ ହେଁ ଏହା ଚୁଡାନ୍ତ ନୁହେଁ। ଏହା ପର୍ଯ୍ୟାୟକ୍ରମେ ଚାଲୁରହିବ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଆସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣେ କର୍ମଚାରୀ କହିଛନ୍ତି। ଗତବର୍ଷ ରଥଯାତ୍ରା ନିମନ୍ତେ ଦଶପଲ୍ଲା ବନାଞ୍ଚଳରୁ ୫୬୫ ଖଣ୍ଡ ବିଭିନ୍ନ କିସମର ରଥକାଠ ପୁରୀ ଯାଇଥିଲା।