ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ପୁଣି ପିଟିଶନ

ଭୁବନେଶ୍ୱର, ୧୬।୬(ବ୍ୟୁରୋ)/ ନୂଆଦିଲ୍ଲୀ(ସ୍ବ.ପ୍ର.): ପୁରୀ ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କରାଯାଇଛି। ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ରଥଯାତ୍ରା ନିଷ୍ପତ୍ତି ନ୍ୟସ୍ତ କରିଥିବାବେଳେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହାକୁ ବିରୋଧ କରାଯାଇ ଏହି ପିଟିଶନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ସମ୍ଭବ ନୁହେଁ। ହାତୀ, ସେବାୟତ କିମ୍ବା ମେଶିନ ଦ୍ୱାରା ରଥ ଟଣାଗଲେ ବି ସାମାଜିକ ଦୂରତା ରକ୍ଷା କରିବା ଅସମ୍ଭବ ହୋଇପଡିବ। ତେଣୁ ହାଇକୋର୍ଟଙ୍କ ରାୟ ଆଇନସମ୍ମତ ନୁହେଁ ବୋଲି ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି। ସେହିଭଳି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୨୧ ଅନୁଯାୟୀ ହାତୀଙ୍କ ଦ୍ୱାରା ରଥ ଟାଣିବା ବନ୍ୟଜନ୍ତୁ ସୁରକ୍ଷା ଆଇନ ଓ ଜଗନ୍ନାଥ ସଂସ୍କୃତି ବିରୋଧୀ। ମାଦଳାପାଞ୍ଜି ଅନୁଯାୟୀ ପୂର୍ବରୁ ମଧ୍ୟ ରଥଯାତ୍ରା ବନ୍ଦ ରହିଥିଲା ଓ ସେତେବେଳେ ରଥର ଛୋଟ ଛୋଟ ପ୍ରତିକୃତି ନିର୍ମାଣ କରାଯାଇ ଶ୍ରୀମନ୍ଦିର ପରିସର ମଧ୍ୟରେ ରଥଯାତ୍ରା କରାଯାଇଥିଲା। ତେଣୁ ଚଳିତବର୍ଷ ମଧ୍ୟ ସେହିଭଳିଭାବେ ରଥଯାତ୍ରା କରିବାକୁ ସେ ପ୍ରାର୍ଥନା କରିଛନ୍ତି।
ପୂର୍ବରୁ ବିକାଶ ପରିଷଦ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ଏକ ମାମଲା କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ସମ୍ଭବ ନୁହେଁ ଦର୍ଶାଇ ସୁପ୍ରିମକୋର୍ଟ ଏ ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ଅପିଲ କରାଯାଇଥିଲା। ସୋମବାର ପୁଣିଥରେ ପରିଷଦ ପକ୍ଷରୁ ପିଟିଶନ ଦାଖଲ କରାଯାଇଛି। ସେହିଭଳି ହାଇକୋର୍ଟରେ ମଧ୍ୟ ମାମଲା କରାଯାଇଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ଓଡିଶା ସରକାର ରଥଯାତ୍ରା ନିଷ୍ପତ୍ତି ନେବେ ବୋଲି କହିଥିଲେ। ମେଶିନ କିମ୍ବା ହାତୀ ଦ୍ୱାରା ରଥ ଟାଣିବା କଥା ସରକାର ବିଚାର କରିବେ ବୋଲି ରାୟରେ କୁହାଯାଇଥିଲା। ହାଇକୋର୍ଟଙ୍କ ଏହି ରାୟ ପରେ ଏବେ ସୁପ୍ରିମକୋର୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ଜୁନ୍‌ ୨୩ରେ ରଥଯାତ୍ରା ଥିବାବେଳେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି।

Share