ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ

ପୁରୀ ଅଫିସ,୨୯।୪: ମହାମାରୀ କରୋନାକୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିନ୍ତତା ଲାଗି ରହିଥିବା ବେଳେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ଦଇତାପତି ନିଯୋଗ। କଟକଣା ଭିତରେ ରଥଯାତ୍ରା କରିବା ଲାଗି ନିଯୋଗ ନିବେଦନ କରିଛି। ପୂର୍ବରୁ ଦେଶରେ ଅନେକ ମହାମାରୀ ହୋଇଛି। ସେତେବେଳେ କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ। ତେଣୁ କରୋନା ପାଇଁ ସମ୍ପୂର୍ଣ୍ଣ ବନ୍ଦ ନ କରି ରଥଯାତ୍ରା ଆୟୋଜନ କରିବା ଲାଗି ଚିଠିରେ ଅନୁରୋଧ କରାଯାଇଛି। ସରକାର ଚାହିଁଲେ ପ୍ରତିଶେଷ ମୂଳକ ପଦକ୍ଷେପ ନେଇପାରିବେ। ପୁରୀର ସବୁ ପ୍ରବେଶ ପଥକୁ ସିଲ୍‌ କରାଯାଇ ପାରିବ। ଆବଶ୍ୟକ ହେଲେ ସେବାୟତ ଏବଂ ପୋଲିସଙ୍କ କରୋନା ଟେଷ୍ଟ କରାଯାଇପାରିବ ବୋଲି ନିଯୋଗ ପକ୍ଷରୁ ଚିଠିରେ ଦର୍ଶାଯାଇଛି।