ରଥକାଠ ପାଇଁ ଗଛ କଟା ଅନୁକୂଳ: ଜାନୁୟାରୀ ୬ରେ ନୟାଗଡ଼ ଯିବେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୨୫ା୧୨:ଆସନ୍ତା ରଥଯାତ୍ରା ପାଇଁ ସଜବାଜ ହେଲାଣି ଶ୍ରୀମନ୍ଦିର। ପରମ୍ପରା ଅନୁଯାୟୀ, ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ପରେ ରଥ ପାଇଁ କାଠ କାଟିବା ଅନୁକୂଳ ହୋଇଥାଏ। ଏଥିପାଇଁ ଆସନ୍ତା ଜାନୁୟାରୀ ୬ ତାରିଖରେ ଶ୍ରୀମନ୍ଦିରର ୫ ଜଣିଆ ଟିମ୍‌ ନୟାଗଡ଼ ଗସ୍ତ କରିବେ ବୋଲି ଜଣାପଡିଛିି। ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏହି ଟିମ୍‌ରେ ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଏବଂ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର ଯିବାର କାର୍ଯ୍ୟକ୍ରମ ରହିଛିି। ଏମାନେ ସାଥିରେ ମାଳ ମାହାର୍ଦ୍ଦ, ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ପ୍ରଭୃତି ନେଇଯିବେ। ୭ ତାରିଖରେ ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥ ପାଇଁ କାଠ କଟା ଶୁଭାରମ୍ଭ ହେବ ବୋଲି ଜଣାପଡିଛିି। ରଥ ସଂହିତା ଅନୁଯାୟୀ ତିନିରଥ ନିର୍ମାଣ ଲାଗି ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତ ବର୍ଷ ଆସିଥିବା କାଠ ମଧ୍ୟରୁ ୧୯୩ ଖଣ୍ଡ ବଳକା ରହିଛିି। ବାକି ୬୭୨ ଖଣ୍ଡ କାଠ ଏ ବର୍ଷ ଆସିବ।