ରଣପୁର ବ୍ଲକ: ଭିତରେ ଅଭିଯୋଗ ଶୁଣାଣି, ବାହାରେ ବିକ୍ଷୋଭ

ରଣପୁର,୧୪ା୧(ସ୍ବ.ପ୍ର.): ସୋମବାର ନୟାଗଡ଼ ଜିଲା ରଣପୁର ବ୍ଲକରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବ୍ଲକ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ବାହାରେ କନ୍ଧନୟାଗଡ ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀଙ୍କ ସହ ଜିଲାପାଳ ଡା. ପୋମା ଟୁଡୁଙ୍କ ବାରମ୍ବାର ଆଲୋଚନା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। କନ୍ଧନୟାଗଡ ପଞ୍ଚାୟତ ସମିତି ସଭ୍ୟ ତଥା ରଣପୁର ବ୍ଲକ ଭାଇସ୍‌ ଚେୟାରମ୍ୟାନ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା ବିକ୍ଷୋଭ। ନୟାଗଡ଼ ଉପଜିଲାପାଳ ଲଗ୍ନଜିତ୍‌ ରାଉତରାୟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଦାବି ପୂରଣ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ସାଢ଼େ ୩ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୋଗ ଅନୁସାରେ ବାରମ୍ବାର ଆବଦେନ ପରେ ମଧ୍ୟ କନ୍ଧନୟାଗଡ ପଞ୍ଚାୟତର ୭୦ରୁ ଊର୍ଦ୍ଧ୍ୱ ଲୋକ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇବାକୁ ବଞ୍ଚତ୍ତ ଅଛନ୍ତି। ଇତିମଧ୍ୟରେ ଗଁାର କିଛି ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଭତ୍ତା ପାଇବାକୁ ବିଭିନ୍ନ ସମୟରେ ବିଡିଓ, ଉପଜିଲାପାଳ, ଜିଲାପାଳଙ୍କୁ ଭେଟୁଥିଲେ ମଧ୍ୟ ସୁଫଳ ମିଳୁନି। କେବଳ ପ୍ରତିଶ୍ରୁତି ମିଳୁଛି। ସେହିଭଳି ଚାନ୍ଦପୁର ବାଇପାସ୍‌ରେ ଏକ ଓଭରବ୍ରିଜର ଅବଶ୍ୟକତା ରହିଛି। ହେଲେ ଏହାକୁ ବି ଅଣଦେଖା କରାଯାଉଛି। ଏହି ବାଇପାସ୍‌ରେ ଦୈନିକ ଛୋଟବଡ ହଜାର ହଜାର ଯାନବାହନ ଯାତାୟାତ କରୁଛି। ଗୃହପାଳିତ ପ୍ରାଣୀଙ୍କ ସହ ମଣିଷ ବି ଯା’ଆସ କରୁଛନ୍ତି। ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଗତ ୨୦ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ମଣିଷ ଓ ୫୦ରୁ ଅଧିକ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଲାଣି । ପୁଣି ପଞ୍ଚାୟତରେ ବିଦ୍ୟୁତ୍‌ ସମସ୍ୟା ଲାଗିରହିଥିଲେ ବି ସମାଧାନ କରାଯାଉନି। ବାରମ୍ବାର ଦାବି, ଆପତ୍ତି, ଅଭିଯୋଗ, ଆନ୍ଦୋଳନ ପରେ ପଞ୍ଚାୟତବାସୀ ଉପେକ୍ଷିତ ହୋଇ ଚାଲିଛନ୍ତି। ଶେଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଥିବା ସେମାନେ ପ୍ରକାଶ କରିଥିଲେ ।