Categories: ରାଜ୍ୟ

ରଣପୁର ବାହୁଡା ଯାତ୍ରାରେ ବିଶୃଙ୍ଖଳା : ନନ୍ଦିଘୋଷ ରଥର ଅଖ ଭାଙ୍ଗିଲା, ହୋଇପାରିଲା ନାହିଁ ଲକ୍ଷ୍ମୀନାରାୟଣ ଭେଟ

ରଣପୁର,୧୫ା୭ (ସ୍ବ.ପ୍ର.): ରଣପୁରଠାରେ ବାହୁଡା ଯାତ୍ରାର ୨ଦିନ ପରେ ରବିବାର ଶ୍ରଦ୍ଧାଳୁମାନେ ଉତ୍ସାହର ସହ ନନ୍ଦିଘୋଷ ରଥ ଟାଣୁଥିଲା ବେଳେ ହଠାତ୍‌ ରଥଅଖ ଭାଙ୍ଗିଯାଇଥିଲା। ଫଳରେ ରଥଟଣା କାର୍ଯ୍ୟ ବନ୍ଦ ରହିଥିଲା ଓ ସିଂହଦ୍ୱାରଠାରେ ହେବାକୁ ଥିବା ଲକ୍ଷ୍ମୀ ନାରାୟଣ ଭେଟ ହୋଇପାରି ନ ଥିଲା। ବଡ ଆଶା ନେଇ ଠାକୁରଙ୍କ ଏହି ଭେଟ ଉତ୍ସବ ଦେଖିବାକୁ ଆସିଥିବା ଭକ୍ତମାନେ ନିରାଶ ହୋଇ ଫେରିଥିଲେ। ଚଳିତବର୍ଷ ବହୁଡା ଯାତ୍ରାରେ ବ୍ୟାପକ ବିଶୃଙ୍ଖଳା ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଘୋଷଯାତ୍ରାର ନବଦିନାମତ୍କ ଯାତ୍ରା ଶେଷକରି ଗତ ଶୁକ୍ରବାର ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହାରିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସମସ୍ତ ନୀତିକାନ୍ତି ବିଳମ୍ବ ହେବାରୁ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଦେଖାଦେଇଥିଲା। ଶନିବାର ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିନେଇ ସିଂହଦ୍ୱାରରେ ପହଞ୍ଚାଇଥିଲେ। ଏହାପରେ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣିଥିଲେ। ରାତ୍ର ହୋଇଯିବାରୁ ରଥଟଣା କାର୍ଯ୍ୟ ବନ୍ଦ କରାଯାଇଥିଲା। ଜଗନ୍ନାଥଙ୍କ ରଥ ନନ୍ଦିଘୋଷକୁ ଟାଣିବା ପାଇଁ ରଥରେ ଘୋଡା ଯୋଚାଯାଇ ଦଉଡି ସଂଯୋଗ କରାଯାଇଥିଲା। ହେଲେ ଚାରମାଳ ଖୋଲାଯିବାକୁ ପୂଜାପଣ୍ଡା ସେବାୟତ ବିରୋଧ କରି ରଥରୁ ତଳକୁ ଓହ୍ଲାଇ ଆସିଥିଲେ। ଅନ୍ୟପକ୍ଷେ ରଥରେ କୌଣସି ସେବାୟତ ନ ଥିବାରୁ ଦେବୋତ୍ତର ବିଭାଗ ରଥଟଣା କାର୍ଯ୍ୟ କରିପାରି ନ ଥିଲେ। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଦେବୋତ୍ତର ବିଭାଗ ସେବାୟତମାନଙ୍କୁ ବୁଝାଶୁଝା କରିଥିଲେ। ରବିବାର ଅପରାହ୍ନ ୨ଟାରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣିନେଉଥିଲା ବେଳେ ମାଉସୀ ମା’ ରଥ ଖଳାଠାରୁ ୩ଶହ ମିଟର ଦୂରରେ ରଥର ଅଖ ଭାଙ୍ଗିଯାଇଥିଲା। ମହାରଣାମାନେ ଅଖ ମରାମତି କାର୍ଯ୍ୟରେ ଲାଗି ପଡିଥିଲେ । ଏହାକୁ ଠିକ୍‌ କରାଯାଇ ସୋମବାର ରଥ ଟଣାଯିବ ବୋଲି ପ୍ରଶାସନ ପ୍ରକାଶ କରିଛି ।