ରଜ ପାଇଁ ଲାଗିଲା ୧୪୪ ଧାରା

ଢେଙ୍କାନାଳ ଅଫିସ, ୧୩।୬ – ରଜ ଉତ୍ସବ ଉପଲକ୍ଷେ ମନ୍ଦିର ଏବଂ ରଜପଡ଼ିଆରେ ଜନସମାଗମ ଆଶଙ୍କାରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲାର ୧୫ ମନ୍ଦିର ଏବଂ ରଞ୍ଜାଗୋଳ ରଜ ପଡ଼ିଆରେ ଶୁକ୍ରବାରଠାରୁ ୧୪୪ ଧାରା ଜାରି କରାଯାଇଛି। ଏହି କଟକଣା ୧୬ ତାରିଖ ଯାଏ ବଳବତ୍ତର ରହିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
କଟକଣା ଲାଗିଥିବା ମନ୍ଦିରଗୁଡ଼ିକ ମଧ୍ୟରେ ରହିଛି ଗଁଦିଆ ବ୍ଲକ କପିଳାସସ୍ଥିତ ଶ୍ରୀଚନ୍ଦ୍ରଶେଖର ଜୀଉ, ଲତାଦେଇପୁର ଶ୍ରୀଉନ୍ନକୋଟିଶ୍ୱର, ଢେଙ୍କାନାଳ ସହରସ୍ଥିତ ଶ୍ରୀସିଦ୍ଧ ବଳରାମଜୀଉ, ସପ୍ତଶଯ୍ୟାସ୍ଥିତ ଶ୍ରୀରାମଚନ୍ଦ୍ରଜୀଉ, ବଡନାଗେନାସ୍ଥିତ ଶ୍ରୀନାଗନାଥେଶ୍ୱର, ଗଙ୍ଗାଧରପ୍ରସାଦସ୍ଥିତ ଶ୍ରୀପଶ୍ଚିମେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି। ସେହିପରି କାମାକ୍ଷାନଗର ବ୍ଲକ ତେନ୍ତୁଳିସିଂହାସ୍ଥିତ ଶ୍ରୀରାମେଶ୍ୱର, ହାଟୁଆରିସ୍ଥିତ ଶ୍ରୀକପିଳେଶ୍ୱର, ସିବୁଳାପଶିସ୍ଥିତ ଶ୍ରୀସ୍ବପ୍ନେଶ୍ୱର, ଭୁବନସ୍ଥିତ ଶ୍ରୀବୁଦ୍ଧେଶ୍ୱର, ପରଜଙ୍ଗ କୁଆଳୋସ୍ଥିତ ଶ୍ରୀସ୍ବପ୍ନେଶ୍ୱର, ବାଲିମି ରକଲାସ୍ଥିତ ଶ୍ରୀକୁଢେଶ୍ୱର, ମହାତଳାସ୍ଥିତ ମାତାଳେଶ୍ୱର, ଚିତ୍ତଳପୁର ଶ୍ରୀଉଗ୍ରେଶ୍ୱର, ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ନାଧରାସ୍ଥିତ ଶ୍ରୀରାମଚଣ୍ଡୀ, କନକେଶ୍ୱର ମହାଦେବଙ୍କ ପୀଠ, ହିନ୍ଦୋଳ ବ୍ଲକ ବାଲିମୀସ୍ଥିତ ରଞ୍ଜାଗୋଳ ଯାତ୍ରା ପଡ଼ିଆରେ ମଧ୍ୟ ଏହି କଟକଣା ଜାରି କରାଯାଇଛି। ଏ ସମ୍ପର୍କରେ ଏସ୍‌ପି, ସମସ୍ତ ଉପଜିଲାପାଳ, ନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କୁ ଅବଗତ କରାଯାଇଥିବା ଦେବୋତ୍ତର ଅଧିକାରୀ ତଥା ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସୂଚନା ଦେଇଛନ୍ତି।
ଓଡ଼ିଆ ଘରର ପ୍ରସିଦ୍ଧ ରଜପର୍ବରେ ଦେବଦେବୀ ପୀଠରେ ଜନ ସମାଗମ ହେବା ସାଧାରଣ କଥା। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ଭୟ ଥିବାରୁ ପର୍ବପର୍ବାଣି ଫିକା ପଡ଼ିଛି। ଜିଲାବାସୀଙ୍କ ସୁରକ୍ଷା ଲାଗି ଏପରି ପଦକ୍ଷେପ ନିଆଯାଇଛି। ରଜ ପଡ଼ିଆରେ ଏକାଠି ହୋଇ ଦୋଳି ଖେଳିବା ବାରଣ କରାଯାଇଛି। ସେହିପରି ୩୦ ତାରିଖ ଯାଏ କୌଣସି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।