Categories: ଗଞ୍ଜାମ

ରକ୍‌ ଗାର୍ଡେନ ପାଇଁ ଖର୍ଚ୍ଚ ହେବ ୮.୫ କୋଟି

ବ୍ରହ୍ମପୁର ଅଫିସ, ୧୦ା୮-ଗଞ୍ଜାମ ଜିଲାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ବ୍ରହ୍ମପୁର ଆମ୍ବପୁଆଠାରେ ନିର୍ମାଣ ହେବାକୁ ଥିବା ରାଜ୍ୟର ପ୍ରଥମ ରକ୍‌ ଗାର୍ଡେନ (ଶିଳାକୃତି ପ୍ରଦର୍ଶନସ୍ଥଳ) ସ୍ବପ୍ନ ବାସ୍ତବ ରୂପ ନେବ। ଏଥିପାଇଁ ଚିହ୍ନଟ ୯ ଏକର ଜାଗା ଚାରିପଟେ ପ୍ରାୟ ଦେଢ଼ବର୍ଷ ତଳୁ ପାଚେରି ନିର୍ମାଣ ହୋଇଥିଲା। ରକ୍‌ ଗାର୍ଡେନ ପାଇଁ ପ୍ରାୟ ୮.୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଏହାର ଟେଣ୍ଡର ଆରମ୍ଭ କରିବାକୁ ଶୁକ୍ରବାର ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷ(ବିଡିଏ)ର ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ହୋଇଛି।
ସମ୍ମିଳନୀ କକ୍ଷରେ ଉପାଧ୍ୟକ୍ଷ ତଥା ବ୍ରହ୍ମପୁର ମହାନଗର ନିଗମ(ବିଏମସି) କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ବୈଠକରେ ବ୍ରହ୍ମପୁରରେ ନିର୍ମାଣ ହେବାକୁ ଥିବା ରାଜ୍ୟର ଏହି ପ୍ରଥମ ରକ୍‌ ଗାର୍ଡେନ ପ୍ରକଳ୍ପର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସହରରେ ବିଲ୍ଡିଂ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ଆପୁ୍ରୁଭାଲ ପ୍ରଦାନ ଦିଗରେ ରହିଥିବା ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସେପ୍ଟେମ୍ବର ୬ରେ ପେଣ୍ଡିଂ ରହିଥିବା ସମସ୍ତ ଆପ୍ରୁଭାଲ ସମସ୍ୟା ସମାଧାନ କରାଯିବ ବୋଲି କମିଶନର ସୂଚନା ଦେଇଥିଲେ। ଆଗକୁ ବିଲ୍ଡିଂ ଆପ୍ରୁଭାଲରେ ଯେଭଳି ବିଳମ୍ବ ନ ହେବ ସେଥିପାଇଁ ବିଡିଏ କାର୍ଯ୍ୟାଳୟରେ ଇ-ଅଫିସ ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ରେଲୱେ ଓଭରବ୍ରିଜ(ଆରଓବି) ତଳେ ବିଡିଏ ପକ୍ଷରୁ ବସିବା ନିମନ୍ତେ ବ୍ୟବସ୍ଥା, ପାର୍କିଂ, ଦେକାନ ଗୃହ ନିର୍ମାଣ କରାଯିବ। ବ୍ରହ୍ମପୁରରେ ୨୦୦୦, ଗୋପାଳପୁର ଓ ଛତ୍ରପୁରରେ ଆଗାମୀ ଦିନରେ ୧୦୦୦ ଚାରାରୋପଣ କରିବାକୁ ଯୋଜନା ରଖାଯାଇଛି।
ସୌନ୍ଦର୍ଯ୍ୟକରଣ ପାଇଁ ସହରର ସମସ୍ତ ଓପନ ସ୍ପେସରେ କନସେପ୍ଟ ପାର୍କ, ଚାରାରୋପଣ କରାଯିବାକୁ କୁହାଯାଇଥିଲା। ଗଞ୍ଜାମ ହାଟ ପ୍ରକଳ୍ପ ନେଇ ଆସନ୍ତା ୨୭ରେ ହେବାକୁ ଥିବା ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା। ବୈଠକରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଡିଏ ସଚିବ ସମ୍ବିତ୍‌ ରାଉତ ଏବଂ ବିଡିଏର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।